ବଜାର ଯାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ଏହି ଉପାୟରେ ଘରକୁ ଆସିବ କରୋନା

କରୋନା ସଂକ୍ରମଣ ମଧ୍ୟରେ ଜୀବନ ଜିଇଁବା ତ ଜରୁରୀ। ଏହି ଯେମିତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବଜାର ଯିବାକୁ ପଡ଼ିଥାଏ। ମାତ୍ର ସାବଧାନତା ଅବଲମ୍ବନ ନ କଲେ ଏହା ଜୀବନ ପ୍ରତି ଭାରି ପଡ଼ିପାରେ। କାରଣ ଏବେ ଗୋଟିଏ ପରେ ଗୋଟିଏ ପୂଜା ପାର୍ବଣ ଲାଗିରହିବ। କିଣାକିଣି ନ କଲେ ମଧ୍ୟ କାମ ଅଚଳ। ଅନ୍ୟପକ୍ଷରେ ଧୀରେ ଧୀରେ ଦୋକାନ ବଜାର ମଧ୍ୟ ଖୋଲିଗଲାଣି। ଏଥିପାଇଁ ଲୋକେ କିଣାକିଣି କରିବାକୁ ବଜାର ଯାଉଛନ୍ତି। ବଜାର ଯାଆନ୍ତୁ ମନା ନାହିଁ, ମାତ୍ର ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍‌ ଘରକୁ ସାଥୀରେ କରୋନା ଧରି ଆସିବେ।

ସର୍ବଦା ମାସ୍କ ପିନ୍ଧନ୍ତୁ। ଅଧିକ ଗହଳିକୁ ଆଦୌ ଯାଆନ୍ତୁ ନାହିଁ। ଅନ୍ୟମାନଙ୍କଠାରୁ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ବଜାରକୁ ଯିବାକୁ ପୂର୍ବରୁ ଘଣ୍ଟା, ମୁଦି ଓହ୍ଲାଇ ଯାଆନ୍ତୁ। କିଛି ସାମଗ୍ରୀ କିଣି ସାରିବା ପରେ ଦୋକାନୀଙ୍କ ସହ ନଗଦ ଟଙ୍କା ଦେଣନେଣ ନ କରି ଡିଜିଟାଲ ରୂପରେ ଟଙ୍କା ଦିଅନ୍ତୁ। ଯେମିତିକି ପେଟିଏମ୍‌ କିମ୍ବା ଫୋନ୍‌ ପେରେ ଟଙ୍କା ଦିଅନ୍ତୁ। ପୂରା ଶରୀରକୁ ଘୋଡ଼ାଇ ହୋଇ ବଜାର ଯାଆନ୍ତୁ। ସାନିଟାଇଜର ସାଥୀରେ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଘରୁ ପାଣି ପିଇକି ଯାଆନ୍ତୁ। ବାହାରେ ଆଦୌ ଖାଆନ୍ତୁ ନାହିଁ କି ପାଣି ପିଅନ୍ତୁ ନାହିଁ। ଅତି ଜରୁରୀ ନ ପଡ଼ିଲେ ବଜାର ଯାଆନ୍ତୁ ନାହିଁ, ସାଥୀରେ ମଧ୍ୟ ଅନ୍ୟ କାହାକୁ ନିଅନ୍ତୁ ନାହିଁ। ବିଶେଷକରି ଛୋଟ ପିଲାଙ୍କୁ ଆଦୌ ନିଅନ୍ତୁ ନାହିଁ।

ବଜାରରୁ ଫେରିବା ପରେ ସାମଗ୍ରୀକୁ ସାନିଟାଇଜ୍‌ କରନ୍ତୁ। ପରିବାକୁ ଅଳ୍ପ ଲୁଣ ପାଣିରେ ପକାନ୍ତୁ। ପରିବାକୁ କିଛି ଘଣ୍ଟା ବାହାରେ ରଖିଦିଅନ୍ତୁ। ଜୋତା କିମ୍ବା ଚପଲ ଘର ଭିତରକୁ ଆଣନ୍ତୁ ନାହିଁ। ଅଳ୍ପ ଉଷୁମ ପାଣିରେ ସ୍ନାନ କରନ୍ତୁ। ପିନ୍ଧିଥିବା କପଡ଼ାପତ୍ର ସଙ୍ଗେ ସଙ୍ଗେ ଧୋଇଦିଅନ୍ତୁ। ସ୍ନାନ ପୂର୍ବରୁ ପିଲାମାନଙ୍କ ସଂସ୍ପର୍ଶରେ ଆଦୌ ଆସନ୍ତୁ ନାହିଁ। ମୋବାଇଲ, ଗାଡ଼ି ଚାବି, କଲମକୁ ମଧ୍ୟ ସାନିଟାଇଜ୍‌ କରନ୍ତୁ।