ନୂଆଦିଲ୍ଲୀ,୨୩ା୩: ସାମ୍ବାଦିକତାରେ ଉତ୍କର୍ଷ ପାଇଁ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ବୁଧବାର ୪୩ ଜଣଙ୍କୁ ଷୋଡ଼ଶ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୯ ଓ ୨୦୨୦ରେ ଏହି ଖବରଦାତାମାନେ କରୋନା ମହାମାରୀ ଯୋଗୁ ପୁରସ୍କାର ଗ୍ରହଣ କରିପାରି ନ ଥିଲେ। ପ୍ରିଣ୍ଟରେ ହିନ୍ଦୀ ଜର୍ନାଲିଜମ୍ ବର୍ଗରେ ‘ଦୈନିକ ଭାସ୍କର’ର ଆନନ୍ଦ ଚୌଧରୀଙ୍କୁ ଏହି ସମ୍ମାନ ଦିଆଯାଇଛି।
ସେହିପରି ‘ଦି ପ୍ରିଣ୍ଟ’ ନ୍ୟୁଜ୍ ପୋର୍ଟାଲର ଜ୍ୟୋତି ଯାଦବ ଏବଂ ବିସ୍ମି ତସ୍କିନ୍ଙ୍କୁ ଉତ୍ତର ପ୍ରଦେଶ ଓ ବିହାରରେ ପ୍ରବାସୀଙ୍କ ପଳାୟନ ଉପରେ ନିଚ୍ଛକ ସାମ୍ବାଦିକତା ଲାଗି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ସିଜେଆଇ କହିଛନ୍ତି, ଫେକ୍ ନ୍ୟୁଜ୍ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିପଦରେ ପକାଇଦେଇପାରେ। ଦେଶରେ ଗଣତନ୍ତ୍ରକୁ ବଜାୟ ରଖିବାକୁ ହେଲେ ଗଣମାଧ୍ୟମକୁ ମୁକ୍ତ କରିବାକୁ ପଡ଼ିବ। ସାମ୍ବାଦିକମାନଙ୍କୁ ନିର୍ଭିକ ଓ ନିରପେକ୍ଷ ହେବାକୁ ପଡ଼ିବ।