ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରୁହ: ଡିଜିପି

ଭୁବନେଶ୍ୱର,୨୪।୫(ବ୍ୟୁରୋ):ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଓଡ଼ିଶା ପୋଲିସ ପ୍ରସ୍ତୁତ ଅଛି ବୋଲି ରବିବାର ଭୁବନେଶ୍ୱର କ୍ୟାମ୍ପ ଅଫିସ୍‌ରେ ଅନୁଷ୍ଠିତ ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ପୋଲିସ ଡିଜି ଅଭୟ କହିଛନ୍ତି। ଏହି ବୈଠକରେ ଡିଜିପି ଅଭୟ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲାର ଏସ୍‌ପିଙ୍କ ସହ ଆଲୋଚନା କରିବା ସହିତ ସମସ୍ତ ପରିସ୍ଥିତିର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ସଂକ୍ରାନ୍ତରେ ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଏହି ସମୟରେ କରୋନା ସଂକ୍ରମିତଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ବାତ୍ୟା ପରବର୍ତ୍ତୀ ସମୟରେ କିପରି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇପାରିବ ତାହା ମଧ୍ୟ ଆଲୋଚନା କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକୁ ୬୦ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି। ସେମାନଙ୍କୁ ଉଚ୍ଚମାନର ଯନ୍ତ୍ରାଂଶ ସହ ଆବଶ୍ୟକ ସରଞ୍ଜାମ ଦିଆଯାଇଛି। ସମୀକ୍ଷା ବୈଠକରେ ଉପକୂଳବର୍ତ୍ତୀ ଜିଲାର ଏସ୍‌ପି, ରେଞ୍ଜ୍‌ ଡିଆଇଜି, ଇଷ୍ଟର୍ନ ରେଞ୍ଜ୍‌ ଆଇଜି, ଏଡିଜି କମ୍ୟୁନିକେଶନ, ଏଡିଜି ମେରାଇନ ଓ ଏଡିଜି ଆଇନଶୃଙ୍ଖଳା ପ୍ରମୁଖ ଭାଗ ନେଇଥିଲେ।

Share