ସାଧାରଣ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରୁହ: ପୁରନ୍ଦେଶ୍ୱରୀ

ଭବାନୀପାଟଣା,୧୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜୁନାଗଡ, ଧର୍ମଗଡ ଓ ନର୍ଲା ୩ଟି ନିର୍ବାଚନ ମଣ୍ଡଳୀରେ ଗୁରୁବାର ଭାଜପାର ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର ସମସ୍ତ ମୋର୍ଚ୍ଚାର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ମୁଖ୍ୟଅତିଥି ଭାବେ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଜି ଯୋଗଦେଇ ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ୨୩ ବର୍ଷର ବିଫଳତା ଉପରେ କହିଥିଲେ। ମୋଦି ସରକାରଙ୍କ ଏହି ସଫଳତା ଓ ନବୀନ ସରକାରଙ୍କ ଏହି ବିଫଳତାର ବାର୍ତ୍ତା ଲୋକଙ୍କପାଖରେ ପହଞ୍ଚାଇବା ପାଇଁ ସେ ଆହ୍ବାନ ଦେଇଥିଲେ। ସମସ୍ତ ମୋର୍ଚ୍ଚା ନିଜ ସଙ୍ଗଠନକୁ ତୃଣମୂଳସ୍ତରରେ ସୃଦୃଢ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଲଢେଇ କରିବା ପାଇଁ ପ୍ରସ୍ତୁତ ରୁହ ବୋଲି ଡି. ପୁରନ୍ଦେଶ୍ୱରୀ କହିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡ ପ୍ରକ୍ରିୟାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ କରୁଥିବା କହି ୫-ଟି ସଚିବ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ପ୍ରକୃତରେ ଏହି ଋୁଣ ଛାଡରେ କେନ୍ଦ୍ର ସରକାରଙ୍କ ୭ % ଓ ରାଜ୍ୟ ସରକାରଙ୍କ ୩ % ରହିଥିବା ସେ କହିଥିଲେ। ଜୁନାଗଡ ସହରର ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ଜିଲା ସଭାପତି ଭବେନ୍ଦ୍ର ପଣ୍ଡା, ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପ ଜ୍ୟୋତିମୁଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ପରିଚାଳନା କରିଥିବାବେଳେ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ। ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥିଙ୍କ ସହ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜିଲା ଉପସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଧର୍ମଗଡ ନଗରପାଳ ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସେହିପରି ନର୍ଲାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥିଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ, ଆର୍ତ୍ତତ୍ରାଣ ମହାପାତ୍ର, ପଦ୍ମଲୋଚନ ଜାଲ, ପ୍ରଦୀପ ନାଏକ ପ୍ରମୁଖ ଯୋଗଦେଇଥିଲେ।

Share