ଶୌଚ ହେବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଲେ

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଚମ୍ପେଇ ପଞ୍ଚାୟତ ମେଦିନପୁର ଗ୍ରାମର ଜଣେ ଲୋକ ନିକଟସ୍ଥ ସିଦ୍ଧମଠ ଜଙ୍ଗଲକୁ ଶୌଚ ଯାଇଥିବା ସମୟରେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସକାଳ ୬ଟାରେ ନିଧି ଖୁଣ୍ଟିଆ(୪୮) ଏକୁଟିଆ ବଡ଼ଘାଗରା ନିକଟ ସିଦ୍ଧମଠ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ଜଙ୍ଗଲୀ ଭାଲୁଟି ଅତର୍କିତ ଆକ୍ରମଣ କରିଥିଲା। ତାଙ୍କ ପାଟି ଶୁଣି ଘର ଲୋକ ଆସିବାରୁ ଭାଲୁଟି ସ୍ଥାନ ଛାଡ଼ି ପଳାଇଥିଲା। ଭାଲୁଟି ନିଧିଙ୍କ ବେକ, ଛାତି,ମୁହଁ ଓ ମୁଣ୍ଡକୁ ଆକ୍ରମଣ କରି ଗଭୀର କ୍ଷତାକ୍ତ କରିଥିବା ଜଣାପଡ଼ିଛି। ଖବର ପାଇ ଶୁଆକାଟୀ ଫରେଷ୍ଟର ଜ୍ୟୋତିର୍ମୟୀ ପଟ୍ଟନାୟକ,ଅଞ୍ଜର ବିଟ୍‌ ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ ମହାନ୍ତ ଅଫିସ ଗାଡ଼ିରେ ତାଙ୍କୁ ମୁଖ୍ୟ ରାସ୍ତାକୁ ଆଣିବା ପରେ ୧୦୮ ଆମ୍ବୁୁଲାନ୍ସରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପଠାଇଥିଲେ। ଭାଲୁଟି ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଭାଲୁ ଆକ୍ରମଣରେ ଗୁରୁତର ନିଧି ଖୁଣ୍ଟିଆଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ ସାଙ୍ଗକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଗ୍ରାମବାସୀ ଦାବି ଜଣାଇଛନ୍ତି।