ରାତି ହେଲେ ଘର ଛାତ ଭାଙ୍ଗୁଛି ଭାଲୁ

ମାଲକାନଗିରି,୩୦।୧୧(ଡି.ଏନ.ଏ.): ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ରାତି ହେଲେ ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଛି। ଘର ଉପରେ ଚଢି ଟିଣ ଭାଙ୍ଗି ଘର ଭିତରେ ପଶିବାକୁ ଉଦ୍ୟମ କରୁଛି । ଫଳରେ ଭାଲୁ ଭୟରେ ସନ୍ଧ୍ୟା ନ ହେଉଣୁ ଜନଶୂନ୍ୟ ହୋଇପଡୁଛି ଅଞ୍ଚଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ତମସା ପଞ୍ଚାୟତ ଏମଭି-୭ ଗ୍ରାମରେ।

ଦୁଇଟି ଜଙ୍ଗଲି ଭାଲୁ ଉକ୍ତ ଅଞ୍ଚଳକୁ ଆସି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଭାଲୁ ଦୁଇଟି ସନ୍ଧ୍ୟା ହେଲେ ଗ୍ରାମରେ ପଶି ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଉପରେ ଚଢି ଛପର ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଏପରି କି ଲୋକେ ଘର ବାହାରେ ରଖିଥିବା କାର, ବାଇକ୍‌ ଉପରେ ଭାଲୁ ଚଢି ସେଗୁଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ଭାଲୁ ଉପଦ୍ରବ ଯୋଗୁ ଗ୍ରାମରେ ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବାକୁ ଗ୍ରାମବାସୀ ଭୟ କରୁଛନ୍ତି। ଗାଡିମୋଟରରେ ଯାତାୟାତ କରୁଥିବା ଲୋକେ ମଧ୍ୟ ଭୟଭିତ ହୋଇପଡିଛନ୍ତି। ଜୟପୁରରୁ ମୋଟୁ ଏବଂ ଆନ୍ଧ୍ର ଓ ଛତିଶଗଡକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥରେ ଭାଲୁ ଭୟ ବଢିବାରେ ଲାଗିଛି। ଖାଦ୍ୟ ଅନ୍ବେଷଣରେ ଭାଲୁ ଏଭଳି ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି। ଭାଲୁକୁ କାବୁ କରିବାରେ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି।

Share