ଉମରକୋଟରେ ପୁଣି ଭାଲୁ ଭୟ

ଉମରକୋଟ,୩୧।୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୨ ଭାଲୁଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଉମରକୋଟ ବ୍ଲକ ମୁର୍ତ୍ତୁମା ନିକଟ ଶାଳବଣ ନିକଟରେ ୨ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଭାଲୁ ଦୁଇଟି ମକା କ୍ଷେତ ଦେଇ ଏକ ପୋଖରୀ ନିକଟକୁ ଯାଇଥିବା ବେଳେ ପରେ ସ୍ଥାନୀୟ କେତେଜଣ ଯୁବକ ନିଆଁ ଦେଖାଇ ଦୁଇ ଭାଲୁଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇଛନ୍ତି। ଉମରକୋଟ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବାରୁ ଖାଦ୍ୟ ଅନ୍ବେଷେଣରେ ଭାଲୁ ଜଙ୍ଗଲରୁ ଜନବସତି ଦିଗକୁ ଆସୁଛନ୍ତି। ଏହା ଉଭୟ ବନ୍ୟପ୍ରାଣୀ ଏବଂ ମନୁଷ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ଉମରକୋଟ ନାୟକଗୁଡ଼ା ଗ୍ରାମରେ ମଧ୍ୟ ଏକ ଭାଲୁ ନିମ୍ବ ଗଛରେ ଚଢ଼ି ଦୁଇଦିନ ଗଛ ଉପରେ ରହିଥିଲା। ପରେ ବନ ବିଭାଗ ଭାଲୁକୁ ଟ୍ରାଙ୍କୁଲାଇଜ୍‌ କରି ଭାଲୁକୁ ଉଦ୍ଧାର କରିଥିଲା।