ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସେପରି ଏକ ପରିବେଶ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଳକର ଆଉଁଳି ଗାଁରେ। ଗାଁ ଭିତରକୁ ପଶି ଆସିଥିବା ଭାଲୁକୁ ଧରିବା ନେଇ ପ୍ରଶାସନକୁ ନାକେଦମ ହେବାକୁ ପଡିଛି।
ସୂଚନା ଯୋଗ୍ୟ, ଭାଲୁଟି ତେନ୍ତୁଳି ଖାଇବା ଲୋଭରେ ଆଉଁଳି ଗାଁ ଭିତରକୁ ଗୁରୁବାର ରାତିରେ ପଶି ଆସିଥିଲା। ହେଳେ ବାହାରକୁ କିପରି ଯିବ ରାସ୍ତା ପାଇ ନ ଥିଲା। ଶୁକ୍ରବାର ସକାଳୁ ଗ୍ରାମର କେତେଜଣ ମହିଳା ଭାଲୁକୁ ଦେଖି ପାଟି କରିଥିଲେ। ଫଳରେ ଭାଲୁଟି ଭୟରେ ନିକଟରେ ଥିବା ଏକ ତେନ୍ତୁଳି ଗଛ ଉପରକୁ ଚଢ଼ିଯାଇଥିଲା। ଖବର ପାଇ ବନ ବିଭାଗ ଓ ଓ୍ବାଇଲ୍ଡ ଲାଇଫ୍‌ ରେସ୍କ୍ୟୁ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଭାଲୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିଲେ। ହେଲେ ଏଥିରେ ସଫଳ ହୋଇ ନ ଥିଲେ। ଅନ୍ୟପକ୍ଷେ ଭାଲୁ ଭୟରେ ଗାଁରେ ତାଟି କବାଟ ପଡିଯାଇଛି। ଅନ୍ୟପକ୍ଷେ ଭାଲୁ ଥିବା ଗଛର ୫୦ ମିଟର ପରିଧିକୁ ଦଉଡ଼ିରେ ବ୍ୟାରିକେଟିଂ କରାଯାଇଛି। ଭାଲୁଟି ରାତିରେ ସ୍ବତଃ ତଳକୁ ଓହ୍ଲାଇବ। ଯଦି ନ ଓହ୍ଲାଏ ତେବେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯିବ ବୋଲି ବୋରିଗୁମ୍ମା ବନଖଣ୍ଡ ଅଧିକାରୀ ଦିଲୀପ ପଟ୍ଟନାୟକ କହିଛନ୍ତି। କୋଟପାଡ ଓ କନ୍ଦୁରାରୁ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚିଛି।

Share