ଗାଁରେ ବୁଲିଲେ ଭାଲୁ

ନୂଆପଡ଼ା ଅଫିସ,୩୦।୯: ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁରେ ୨ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି। ଫଳରେ ଗାଁ ଲୋକେ ଭୟରେ ଦିନ ତମାମ ତାଟିକବାଟ ବନ୍ଦ କରି ରହିଥିଲେ। କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗାଁରେ ଭୟର ବାତାବରଣ ଦେଖାଦେଇଛି।

ଗୋଡଫୁଲା ଗାଁକୁ ମା’ ଓ ଛୁଆ ଭାଲୁ ଆସି ଏକ ବୁଦାରେ ପଶି ଯାଇଥିଲେ। ଦୀର୍ଘ ୯ ଘଣ୍ଟା ଧରି ବୁଦା ଭିତରେ ରହିବା ପରେ ପଦାକୁ ବାହାରି ଲୋକଙ୍କ ବାଡିରେ ପଶି ଯାଇଥିଲେ। ସେଠାରୁ ବାହାରି ଗାଁ ମୁଣ୍ଡରେ ବୁଲିଥିଲେ। ଖବର ପାଇ ନୂଆପଡ଼ା ସଦର ବନାଞ୍ଚଳ ବନପାଳ ଦୀପ୍ତିମାନ ପଣ୍ଡା ଏବଂ କର୍ମଚାରୀ ଗୋଡଫୁଲା ଗାଁରେ ପହଞ୍ଚି ଭାଲୁକୁ ଘଉଡାଇବା ପରେ ଭାଲୁ ଦ୍ୱୟ ପାଖ ସାଲିହା ପାହାଡ଼କୁ ପଲାଇଥିଲେ। ବର୍ତ୍ତମାନ ପାହାଡ଼ରେ କେତେକ ଭାଲୁ ରହିଥିବା ଜଣାପଡିଛି। ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁ ଭିତରକୁ ପଶି ଆସୁଥିବା ସୂଚନା ମିଳିଛି।