‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’

ପାପଡ଼ାହାଣ୍ଡି, ୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି। ଏଥିନେଇ ନବରଙ୍ଗପୁର ଜିଲା ବିଜେଡି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ସଭା କରାଯାଇଛି। ଶତାଧିକ ବିଜେଡି କର୍ମୀ ବ୍ଲକ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ବାହିନୀପତିଙ୍କୁ ଟାର୍ଗେଟକରି ‘ବାଘର ଇଲାକାରେ ଭାଲୁର ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ ’ ବୋଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଉକ୍ତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଜଣେ ମହିଳା ଅଧିକାରୀଙ୍କୁ ଘେରି କଂଗ୍ରେସ ନେତା ଓ କର୍ମୀ ଦୁର୍ବ୍ୟବହାର କରିଛନ୍ତି। ବିଧାୟକ ତାଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। ଏହାକୁ ବିଜେଡି ବରଦାସ୍ତ କରିବ ନାହିଁ ବୋଲି ବିଧାୟକ ରନ୍ଧାରୀ କହିଛନ୍ତି। ଆମ ଅଞ୍ଚଳର ସମସ୍ୟା ବୁଝିବାକୁ ଆମେ ଅଛୁ। ସେ ତାଙ୍କ ଅଞ୍ଚଳର ସମସ୍ୟା ବୁଝନ୍ତୁ ବୋଲି କହି ବିଧାୟକ ରନ୍ଧାରୀ ଖବରଦାତା ସମ୍ମିଳନୀରେ ବାହିନୀପତିଙ୍କ ଉପରେ ବର୍ଷିଥିଲେ। କଂଗ୍ରେସର ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବ୍ଲକ ଅଧ୍ୟକ୍ଷା ହେମଲତା ମାଝି, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଜିଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ଜିଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋଇ, ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଜିଲା ବିଜେଡି ମିଡିଆ ସଂଯୋଜକ ପରେଶ ଜେନା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ତୁଳସା ଭତରା, ବିଜେଡି ମୈଦଲପୁର ଜୋନ୍‌ ସଭାପତି ଯୁଗଳ ବିଶୋଇ, ବ୍ଲକ ଯୁବ ବିଜେଡି ସଭାପତି ତ୍ରିନାଥ ଲେଙ୍କା, ସୋମନାଥ ବିଷୋୟୀ କହିଛନ୍ତି।
ସୂଚନାନୁଯାୟୀ, ବିଭିନ୍ନ ଦାବି ନେଇ ବୁଧବାରଠାରୁ ପାପଡ଼ାହାଣ୍ଡି ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ଗୁରୁବାର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଧାରଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ପାପଡ଼ାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକଙ୍କୁ ଦୁର୍ନୀତିଗସ୍ତ ଅଧିକାରୀ ବୋଲି କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ବିଧାୟକ ବାହିନୀପତି ବିଡିଓଙ୍କୁ ଦଳିତ ଏବଂ ଦୁର୍ନୀତିଗସ୍ତ ବୋଲି କହିଥିବା ବିଡିଓ ଅଭିଯୋଗ କରିଛନ୍ତି। ଖବରପାଇ ନବରଙ୍ଗପୁର ଏଡିଏମ୍‌ ଭାସ୍କର ରଇତ, ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଯଥାଶୀଘ୍ର ଦାବି ପୂରଣ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସର ଧାରଣା ହଟିଥିଲା।

Share