୧୪ ବର୍ଷ ହେଲା ବିଟ୍‌ ହାଉସ ଖାଲି

ଚମ୍ପୁଆ,୨୯ା୧୨(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ମୁଖ୍ୟାଳୟରେ ଥିବା ବନ ବିଭାଗର ବିଟ୍‌ ହାଉସ୍‌ କାମରେ ଲାଗିପାରୁନାହିଁ। ରହିବା ପାଇଁ କୋଠା ଉପଯୁକ୍ତ ନ ଥିବା ଆଳ ଦେଖାଇ କେହି କର୍ମଚାରୀ ୧୪ ବର୍ଷ ଧରି ଏଠାରେ ରହୁନାହାନ୍ତି। ଫଳରେ ଏହାର ଆନୁସଙ୍ଗିକ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ବିଟ୍‌ହାଉସ୍‌ ଏବେ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ସୂଚନା ଅନୁଯାୟୀ, ଚମ୍ପୁଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ମୁଖରେ ୨୦୦୯ରେ ତତ୍‌କାଳୀନ ରେଞ୍ଜରଙ୍କ ପ୍ରଚେଷ୍ଟାରେ ବନରକ୍ଷୀଙ୍କ ନିମନ୍ତେ ଏକ ବିଟ୍‌ ହାଉସ୍‌ ନିର୍ମାଣ କରାଯାଇଥିଲା। ନୂଆ ନୂଆ କିଛି ଦିନ ଏଠାରେ କର୍ମଚାରୀ ରହିଥିଲେ। ଏବେ ୧୪ ବର୍ଷ ଧରି ବିଟ୍‌ ହାଉସରେ କେହି ରହୁନାହାନ୍ତି। କେହି ନ ରହିବାରୁ ଏହାର ପରିସର ବଣ ବୁଦାରେ ଭରିଯାଇଥିବା ବେଳେ ପାଚେରି ଭାଙ୍ଗିଗଲାଣି। ଏ ନେଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟା କହିଛନ୍ତି, ପାନୀୟ ଜଳ ଓ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ କର୍ମଚାରୀମାନେ ରହୁନାହାନ୍ତି। ମାର୍ଚ୍ଚ ମାସ ସୁଦ୍ଧା ଅନୁଦାନ ଆସିଲେ ଏହାର ଭିତର ବାହାର ମରାମତି କରାଯିବା ସହ ପାଚେରି ନିର୍ମାଣ ଓ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇ କର୍ମଚାରୀଙ୍କୁ ସେଠାରେ ରଖାଯିବ।

Share