ପ୍ରାପ୍ୟ ବଦଳରେ ମାଡ଼, ବନ୍ଧା ହେଲେ ବ୍ୟବସାୟୀ

କୋଲାବିରା,୩୧।୮(ଡି.ଏନ.ଏ.): ପ୍ରାପ୍ୟ ଦେବା ବଦଳରେ ମାଡ଼ ମାରି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି କୋଲାବିରା ଥାନା ସୋଢାମାଲ ପଞ୍ଚାୟତର ଅମନାପାଲି ଗ୍ରାମରେ। ଅମନାପାଲି ଗ୍ରାମର ଜିବର୍ଦ୍ଧନ ସାହୁ (ଜୀବନ) ପେଶାରେ ଜଣେ ବ୍ୟବସାୟୀ। ତାଙ୍କର ରାଶନ ଦୋକନଠୁ ଆରମ୍ଭ କରି ଧାନ ଓ ଅନ୍ୟ ବ୍ୟବସାୟ ରହିଛି। ତାଙ୍କ ନିକଟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଗ୍ରାମର ମହିଳା ସମ୍ବାରୀ କାଲୋ, ଦେଢସୁର ନରେନ କାଲୋ ଓ ବଡ ପୁଅ ବିଜୁ କାଲୋ ସୋମବାର ଜୀବନଙ୍କ ନିକଟକୁ ଯାଇଥିଲେ। ମାତ୍ର ପ୍ରାପ୍ୟ ପ୍ରଦାନ ନ କରି ଜୀବନ ସେମାନଙ୍କୁ ଗାଳି କରିବା ସହିତ ଜାତିଆଣ ଆକ୍ଷେପ କରି ମାଡ ମାରିଥିଲେ। ଏଥିରେ ବୃଦ୍ଧ ନରେନଙ୍କ ହାତ ଭାଙ୍ଗିଥିବାବେଳେ ସମ୍ବାରୀ ଓ ବିଜୁ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସମ୍ବାରୀ କୋଲାବିରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାଳକୃଷ୍ଣ କହର ସରଜମିନ ତଦନ୍ତ କରିଥିଲେ। ଏ ନେଇ ପୋଲିସ ଆଇପିସି ୩୪୧, ୨୯୪, ୩୨୩, ୩୨୫, ୨୫୪(ବି) ଦଫାରେ ମାମଲା (ନଂ.୧୨୨/୨୨) ରୁଜୁ କରି ଅଭିଯୁକ୍ତ ଜିବର୍ଦ୍ଧନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share