ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛନ୍ତି। ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରକୁ ପ୍ଲାଷ୍ଟିକ୍‌ ଗୁଳି ଚଳାଇବା ସହ କେତେଜଣଙ୍କୁ ଗିରଫ କରିଥିବା କୃଷକ ନେତାମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରିଥିଲା।
ମୁଖ୍ୟମନ୍ତ୍ରୀ ଖଟ୍ଟାର ହିସାର ଜିଲାରେ ଏକ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କରିବାକୁ ଯାଇଥିବାବେଳେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ଲାଠିଚାଳନା ପ୍ରତିବାଦରେ କୃଷକ ସଂଗଠନ ପକ୍ଷରୁ ୯ ନମ୍ବର ଜାତୀୟ ରାଜପଥ ଏବଂ ଗ୍ରାଣ୍ଡ ଟ୍ରଙ୍କ ରୋଡ୍‌ ଅବରୋଧ କରାଯାଇଥିଲା। ଗିରଫ ହୋଇଥିବା ଚାଷୀଙ୍କୁ ତୁରନ୍ତ ନ ଛାଡ଼ିଲେ ଥାନା ଘେରାଉ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ଗୁର୍‌ନାମ ସିଂ ଚାରୁନି କହିଛନ୍ତି। ହସ୍ପିଟାଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଅନ୍‌ଲାଇନରେ କାହିଁକି ହସ୍ପିଟାଲ ଉଦ୍‌ଘାଟନ କଲେନାହିଁ ବୋଲି ଚାରୁନି ପ୍ରଶ୍ନ କରିଛନ୍ତି। ସେମାନେ ଜାଣିଶୁଣି ବିବାଦ ସୃଷ୍ଟି କରାଇବା ସହ କରୋନା ସଂକ୍ରମଣ ବଢ଼ାଉଛନ୍ତି ଏବଂ ଚାଷୀମାନଙ୍କୁ ବଦନାମ କରାଉଛନ୍ତି ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି।

Share