ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା

ଝାରସୁଗୁଡା ଅଫିସ୍‌,୪।୬: କୋଭିଡ୍‌ ତଦାରଖ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲା ହୋଇଥିଲା। ଏନେଇ ବ୍ରଜରାଜନଗରର ମାନବାଧିକାର କର୍ମୀ ରବି ସୋନୀ ଶୁକ୍ରବାର ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏଭଳି ସ୍ଥିତିରେ ଜିଲାପାଳ ସରୋଜ କୁମାର ସାମଲ ଘଟଣାର ତଦନ୍ତ ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୨ ଦିନ ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ତରଫରୁ ମାଡ ଖାଇଥିବା ବୃଦ୍ଧ ବ୍ୟବସାୟୀ ଦେବେନ ଝା ଓ ତାଙ୍କର ନାବାଳକ ପୁଅଙ୍କୁ ଏକ ସ୍ବତନ୍ତ୍ର ଗାଡିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏପରିକି ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ତିର୍କୀଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ଉପଜିଲାପାଳ ଶିବ ଟପ୍ପୋ ପଚରାଉଚୁରା କରି ଉଭୟଙ୍କ ବୟାନ ରେକର୍ଡ କରିଥିଲେ। ଜିଲା ପ୍ରଶାସନର ପ୍ରାଥମିକ ତଦନ୍ତ ମଧ୍ୟର ଭାଇରାଲ୍‌ ଭିଡିଓକୁ ଦେଖିଲେ ମାଜିଷ୍ଟ୍ରେଟ୍‌ ବ୍ୟବସାୟୀଙ୍କୁ ବାଡିରେ ପିଟୁଥିବା ସ୍ପଷ୍ଟ ହୋଇଛି। ମାଜିଷ୍ଟ୍ରେଟ୍‌ ଜଣଙ୍କ ବ୍ୟବସାୟୀଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ମାଡ଼ ମାରିଥିଲେ ଏହାର ତଦନ୍ତ ଚାଲିଛି। ତଦନ୍ତ ପରେ ଜିଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ। ପରେ ଜିଲାପାଳ ଯାହାକିଛି ପଦକ୍ଷେପ ନେବେ ବୋଲି ଉପଜିଲାପାଳ ଟପ୍ପୋ କହିଛନ୍ତି।

Share