ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ ପଚାରିବାରୁ ତାଙ୍କୁ ଶିକ୍ଷକ ଜଣକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ରାମନଗର ଗାଁର ମିନା ବେହେରାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ସ୍ବାମୀଙ୍କ ମୃତ୍ୟୁ ପରେ ମିନା ବାପଘରେ ରହୁଥିଲେ। ରାମନଗର ଗାଁରେ ମିନା ଜାଗା କିଣି ଘର କରି ରହୁଛନ୍ତି। ସରକାରୀ ଆଇନ ଅନୁସାରେ, ଭୋଟ କାର୍ଡର ଆବଶ୍ୟକତା ରହିଛି। ଭୋଟ କାର୍ଡ ମିନାଙ୍କ ସ୍ବାମୀ ପରିବର୍ତ୍ତେ ବାପାଙ୍କ ନାମ ଥିବାରୁ ସରକାରୀ ସ୍ତରରେ ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ଭୋଟ କାର୍ଡ ସଂଶୋଧନ ଦାୟିତ୍ୱରେ ଥିବା ରାମନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଦୀପଙ୍କର ଦାସଙ୍କ ନିକଟକୁ ଯାଇ ଜଣାଇଥିଲେ। ଶିକ୍ଷକ ଦାସ ହଜାରେ ଟଙ୍କା ଦେଲେ କାର୍ଡ ସଂଶୋଧନ ହୋଇଯିବ କହିଥିଲେ। ସେ ମଜୁରି ଲାଗି ହଜାରେ ଟଙ୍କା ଶିକ୍ଷକଙ୍କ ଘରେ ନେଇ ଦେଇଥିଲେ। କାର୍ଡ ସଂଶୋଧନ ହୋଇ ଆସିବା ପରେ ପୂର୍ବ ତ୍ରୁଟି ରହିଥିଲା। ଏ ନେଇ ମିନା ଶିକ୍ଷକ ଦାସଙ୍କୁ ପଚାରିବାରୁ ଟଙ୍କା ନେଲ, କାର୍ଡ କାହିଁକି ଭୁଲ୍‌ ରହିଲା। ଶିକ୍ଷକ ଦାସ କହିଥିଲେ, ତୁମର ଡବଲ ଭୋଟ କାର୍ଡ ଅଛି, ଗୋଟିଏ କାଟି ଦେବି ନଚେତ ଭୋଟର ତାଲିକାରୁ ବାଦ୍‌ ଦେବି ବୋଲି କହିଥିଲେ। ମିନା ଭୋଟ କାର୍ଡ କାହିଁକି କାଟିବ ବୋଲି ପଚାରିବାରୁ ଶିକ୍ଷକ ଦାସ ବିଦ୍ୟାଳୟ ଭିତରେ ତଣ୍ଟିଆ, ଧକ୍କା ମାରି ତାଲିକାରୁ ନାମ କାଟି ଦେବି ବୋଲି କହିଥିଲେ। ଏ ନେଇ ଶୁକ୍ରବାର ଥାନାରେ ଶିକ୍ଷକ ଦାସଙ୍କ ବିରୋଧରେ ମିନା ଅଭିଯୋଗ କରିଥିଲେ। ଆଇଆଇସି ରଞ୍ଜିତ ମହାନ୍ତି କହିଛନ୍ତି, ମହିଳାଙ୍କ ପକ୍ଷରୁ ଅଭିଯୋଗ ମିଳିଛି। ତଦନ୍ତ ହେବ। ବିଇଓ ତନ୍ମୟ ବେହେରା କହିଛନ୍ତି, ଏ ସମ୍ପର୍କରେ ଅବଗତ ଅଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share