ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼

ଫୁଲନଖରା, ୩୦।୧୦(ଡି.ଏନ୍‌.ଏ.): କଟକରେ ପୁଣି ତାଲିବାନୀ ଶାସନର ପୁନରାବୃତ୍ତି ଦେଖିବାକୁ ମିଳିଛି। ଗତ କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କୁ ଏକ ସ୍କୁଟି ପଛରେ ରଶି ବାନ୍ଧି ଘୋଷାଡ଼ି ନେବାର ଦୃଶ୍ୟ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣି ୧୬ ନମ୍ବର ଜାତୀୟ ରାଜପଥ ପ୍ରତାପନଗରୀ ସ୍ଥିତ ଏକ ଗାଡ଼ି ଶୋ’ରୁମ୍‌ ସମ୍ମୁଖରେ ରାସ୍ତା ମଝିରେ ଜଣେ ଯୁବକଙ୍କୁ ଆଣ୍ଠେଇ ମାଡ଼ ମାରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କଟକ ସଦର ଥାନା ପୋଲିସ ଏହି ଘଟଣାରେ ଶନିବାର ରାତିରେ କଟକ ଚାନ୍ଦିନୀଚୌକରୁ ଅମରେନ୍ଦ୍ର ପ୍ରତାପ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅମରେନ୍ଦ୍ର ରାଜ୍ୟର ଜଣେ ମନ୍ତ୍ରୀଙ୍କ ପୁତୁରା ବୋଲି ସୂଚନା ମିଳିଛି।
ପ୍ରକାଶ, ଗୁରୁବାର ଭୁବନେଶ୍ୱରରୁ ପ୍ରାୟ ୧୦ଜଣ ଯୁବକ କାର୍‌ ମରାମତି ପାଇଁ ଏକ ଶୋ’ ରୁମ୍‌କୁ ଆସିଥିଲେ। ସେମାନଙ୍କ କାର୍‌ (ଓଡ଼ି ୦୫ଏଏଫ-୧୪୧୪)କୁ ଭୁବନେଶ୍ୱରରେ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିବାରୁ ଉକ୍ତ ଗାଡ଼ି ମାଲିକଙ୍କୁ ଧରି ମରାମତି ପାଇଁ ଆସିଥିଲେ। ତେବେ ମରାମତି ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେବା ଜାଣି ସମ୍ପୃକ୍ତ ଗାଡ଼ି ମାଲିକ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ଯୁବକମାନେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ଶୋ’ରୁମ୍‌ ନିକଟସ୍ଥ ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ଆଣ୍ଠେଇ ଦେଇ ନିର୍ଦ୍ଧୂମ ମାଡ଼ ମାରିଥିଲେ। ଏହି ସମୟରେ ସ୍ଥାନୀୟ ତେଲେଙ୍ଗାପେଣ୍ଠ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଆସିବାରୁ ତାଙ୍କୁ ମାଡ଼ ମାରିଥିଲେ। ପରେ ପ୍ରତାପନଗରୀ ଗ୍ରାମର ନିର୍ମଳ ସ୍ବାଇଁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଯିବାରୁ ଯୁବକମାନେ ତାଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ ଯୁବକମାନେ କାର୍‌କୁ ଶୋ’ରୁମ୍‌ରେ ଛାଡ଼ି ଅନ୍ୟ ଦୁଇଟି ଗାଡ଼ିରେ ପଳାଇଯାଇଥିଲେ। ଏନେଇ ନିର୍ମଳ କଟକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର କରାଯିବ ବୋଲି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

Share