ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼: ରାଗିଗଲେ ଲେଖାଶ୍ରୀ କହିଲେ, ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ

ଭୁବନେଶ୍ୱର,୧୬।୭: ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର  ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ସେ କହିଛନ୍ତି, ପୁରୀ ରାଜଭବନରେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାର ୧୦ ଦିନ ହେଲାଣି, ପରେବି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି । ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ।

ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ଅଣ ଓଡ଼ିଆ ଲୋକ ଓଡିଆଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଛି । ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ ଆମେ ପ୍ରଥମଥର ଦେଖୁଛୁ । ଗଭର୍ନର ପୁଅ ବୋଲି କଣ ସାତ ଖୁନ ମାଫ ବୋଲି କହିଛନ୍ତି ଲେଖାଶ୍ରୀ  ।

Share