ମାଟିରେ ଲୋଟିଲାଣି ସହରର ସୌନ୍ଦର୍ଯ୍ୟକରଣ

କଟକ ଅଫିସ,୬ା୮: ସିଲ୍‌ଭର ସିଟି କଟକ ସହର ରାଜ୍ୟର ପୁରୁଣା ତଥା ଐତିହାସିକ ସହର ଭାବେ ଜଣାଶୁଣା। ସହରରେ ଅନେକ ଐତିହ୍ୟ, ପୁରୁଣା ଗାଥା, ମହାନପୁରୁଷ ଜନ୍ମ ନେଇ କଟକର ନଁା ରଖିଥିବା ବେଳେ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଚୀନ କାଳରୁ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଇଥିଲା। ହେଲେ ଧୀରେ ଧୀରେ ବର୍ଷ ବିତିଗଲା ପରେ ସହରରେ ଥିବା ସ୍ମୃତି, କଳା, ସ୍ମାରକୀ, ଜଳଫୁଆରା ଆଦି ନଷ୍ଟ ହେବାକୁ ବସିଲାଣି। ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ ଲାଗିଲାଣି। ସହରର ପ୍ରବେଶ ପଥଗୁଡିକରେ ଥିବା ଷ୍ଟାଚ୍ୟୁ ସ୍ଥାନରୁ ଉଭାନ ହୋଇଗଲାଣି। ଅବହେଳିତ ଅବସ୍ଥାରେ ପଡିରହିଛି ଅନେକ ମହାପୁରଷଙ୍କ ନାମରେ ହୋଇଥିବା ପାର୍କ। ସବୁକିଛି ଦେଖି ନୀରବଦ୍ରଷ୍ଟା ସାଜିଛି କଟକ ମହାନଗର ନିଗମ(ସିଏମ୍‌ସି)। ସହରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ପାର୍କ ଏବଂ ସହର କିଛି ଛକଗୁଡ଼ିକରେ ନିର୍ମାଣ କରାଯାଇଥାଏ ଜଳଫୁଆରା। ସେହିପରି ତିନିକୋଣିଆ ବଗିଚାରେ ଏକ ଛୋଟ ପାର୍କ ନିର୍ମାଣ କରାଯାଇ ସେଠାରେ ଜଳଫୁଆରାଟେ ନିର୍ମାଣ କରାଯାଇଥିଲା ହେଲେ ତାହା ବର୍ତ୍ତମାନ ଅଚଳାବସ୍ଥାରେ ପଡି ରହିଥିବା ବେଳେ ସେଥିରେ ଅଳିଆ ଆବର୍ଜନା ଭରି ରହିଛି। ସମାନ ଦୃଶ୍ୟ ଗୌରୀଙ୍କର ପାର୍କରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହାଦ୍ୱାରା ସୌନ୍ଦର୍ଯ୍ୟକରଣ ହାନି ହେବା ସହ ଲୋକଙ୍କ ଯାତାୟାତ କମ୍‌ ହେବା ସହ ମଶା ବଂଶ ବୃଦ୍ଧି ପାଉଛି।
ସେହିପରି ଖାନନଗର ମଲାଚଣ୍ଡିଆ ଛକ ସହର ମଧ୍ୟକୁ ମୁଖ୍ୟ ପ୍ରବେଶ ପଥ ହୋଇଥିବା ବେଳେ ସେଠାରେ ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ଅସ୍ତିତ୍ୱ ହରାଇଲାଣି। ନଦୀକୂଳରେ ରଖାଯାଇଥିବା ଚଉକି ଭାଙ୍ଗି ମାଟିରେ ମିଶିଥିବା ବେଳେ ଲାଇଟ୍‌ ଭାଙ୍ଗିରୁଜି ଅଂଶ ବିଶେଷ ଆଉ ନାହିଁ ା ସେହିପରି ଉକ୍ତ ଛକରେ ଏକ ଛୋଟ ଉଦ୍ୟାନ କରାଯାଇ କିଛି ହରିଣ ପ୍ରତିକୃତି ରଖାଯାଇଥିବା ବେଳେ ତାହା ବର୍ତ୍ତମାନ କେଉଁ ଆଡେ ଉଭାନ ହୋଇଗଲାଣି ା ସେହିପରି ରିଙ୍ଗ୍‌ରୋଡ ଡିଭାଇଡରରେ ଲାଗିଥିବା ଜାଲିଗୁଡିକ ଅସୁରକ୍ଷିତ ଅବସ୍ଥାରେ ଓହଳିରହିଛି। ଉଦ୍ୟାନଗୁଡିକରେ ମହାପୁରଷ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ହେଲେ ସେଗୁଡିକ ରକ୍ଷଣାବେକ୍ଷଣ କରାଯାଇ ନ ଥିବାରୁ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡ. ପ୍ରାଣକୃଷ୍ଣ ପରିଜା ଉଦ୍ୟାନରେ। ସୌନ୍ଦର୍ଯ୍ୟକରଣ ପାଇଁ କାନ୍ଥରେ ଐତିହ୍ୟ ଚିତ୍ର କରାଯାଇଥିବା ବେଳେ ବର୍ଷା ପାଣି ପଡ଼ି ଲିଭିଯିବା ସହ ଲଟା ମାଡି ଗଲାଣି। ତେବେ ଏହି ସବୁ ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ସିଏମ୍‌ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଠିକ୍‌ ଭାବରେ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡିକ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହୁଥିବା ଅଭିଯୋଗ ହେଉଛି। ତେବେ ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ୨ ବର୍ଷ ପରେ ଚଳିତବର୍ଷ ବଡ ଆଡମ୍ବରରେ ଏହାକୁ ପାଳନ କରିବେ ସହରବାସୀ। ଏନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିମଧ୍ୟରେ ସହର ସୌନ୍ଦର୍ଯ୍ୟକରଣ ବୃଦ୍ଧି ସହ ସେଗୁଡିକ ରକ୍ଷଣା ବେକ୍ଷଣ କରିବାରେ ସିଏମସି ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ ସିଏମସି ମେୟର ସୁବାସ ସିଂ କହିଛନ୍ତି, ସହରର ସୌନ୍ଦର୍ଯ୍ୟକରଣ କରିବା ମୋ ନଜରରେ ରହିଛି। ଯେହେତୁ ଆଗକୁ ପାର୍ବଣ ଆସୁଛି। ତେଣୁ ଆମେ ଖୁବ୍‌ଶୀଘ୍ର ସହରର ଉନ୍ନତି ସହ ଉଚିତ୍‌ ପଦକ୍ଷେପ ନେବୁ ବୋଲି ମେୟର କହିଛନ୍ତି।