କାଠି, ଓସ୍ତପତ୍ରରେ ସୁନ୍ଦର କଳାକୃତି

ପାରାଦୀପ,୩୦ା୯(ସ୍ବ.ପ୍ର.):ଆଇସ୍‌କ୍ରିମ ଓ ଦିଆସିଲି କାଠି ସହ ଓସ୍ତପତ୍ର ଆଦିରେ ବିଭିନ୍ନ କଳାକୃତି କରୁଛନ୍ତି ପାରାଦୀପର ଶ୍ରୁତି ରଞ୍ଜନ ମୁଦୁଲି, ତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଜିଲା ନାଉଗାଁସ୍ଥିତ ଭଟଣା ଗ୍ରାମରେ। ବାପା ରାଜେନ୍ଦ୍ର ବ୍ୟବସାୟ କରୁଥିବାବେଳେ ମା’ଗୃହିଣୀ। ଶ୍ରୁତିଙ୍କୁ ଏବେ ୨୩ ବର୍ଷ ଚାଲୁଥିବାବେଳେ ସେ ହାଇଦ୍ରାବାଦରେ ଫେଶନ ଡିଜାଇନିଂ କୋର୍ସ କରୁଛନ୍ତି। ତାଙ୍କର ଏହି ନିଆରା ପ୍ରତିଭା ପାଇଁ ସାମାଜିକ ଗଣାମାଧ୍ୟମ ସମେତ ବିଭିନ୍ନ ଆଡ଼ୁ ପ୍ରଶଂସିତ ହୋଇଛନ୍ତି। ମୂର୍ତ୍ତିରେ କାରୁକାର୍ଯ୍ୟ କରିବା ପାଇଁ ସେ ଘରୋଇ ଆବର୍ଜନା ବ୍ୟବହାର କରିଥାନ୍ତି। ସେ ଆଇସକ୍ରିମ କାଠିରେ ରଥ, ଓସ୍ତପତ୍ରରେ ଗଣେଶ, କାଠି କୁଟାରେ ମା’ଦୁର୍ଗାଙ୍କ ସୁନ୍ଦର ମୂର୍ତ୍ତି ଗଢ଼ିଛନ୍ତି। ପିଲାଟି ଦିନରୁ ତାଙ୍କର ଏହି କଳାପ୍ରତି ଆଗ୍ରହ ଥିଲା। ସ୍କୁଲରେ ପାଠ ପଢ଼ିବା ସମୟରେ ନିଜ ଖାତାରେ ଚିତ୍ର ଆଙ୍କୁଥିଲେ। ସେତେବେଳେ ଘରେ ମା’ ପିନ୍ଧୁଥିବା ଶାଢ଼ିର ଚିତ୍ରକୁ କାଗଜରେ ତିଆରି କରୁଥିଲେ। ପରେ ଏନେଇ ତାଙ୍କର ଧୀରେ ଧୀରେ ରୁଚି ବୃଦ୍ଧି ପାଇଥିଲା। ଏହାଦେଖି ମା’ ବିଜୟା ଲକ୍ଷ୍ମୀ ଓ ବାପା ରାଜେନ୍ଦ୍ର ସେ ଦିଗରେ କ୍ୟାରିୟର କରିବାକୁ ତାଙ୍କୁ କହିଥିଲେ। ମାଟ୍ରିକ ପରୀକ୍ଷା ପରେ ଭୁବନେଶ୍ୱର ଉତ୍କଳ ବିଶ୍ବବିଦ୍ୟାଳୟରେ ସେ ଏନେଇ କୋର୍ସ କରିଥିଲେ। ତା’ପରେ ଫେଶନ ଡିଜାଇନ ଶିଖୁଛନ୍ତି। ଓସ୍ତ ପତ୍ରରେ କଳାକୃତି କରିବା ସମ୍ପର୍କରେ ଶ୍ରୁତି କୁହନ୍ତି, ପତ୍ରକୁ ପାଣିରେ ୧୫ ଦିନ ବୁଡ଼ାଇ ରଖିବା ପରେ ତା’ର ସବୁଜ ଅଂଶ ନଷ୍ଟ ହୋଇଯାଏ। ପରେ ଉକ୍ତ ପତ୍ରରେ ରଙ୍ଗ ଦ୍ୱାରା ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ଅଙ୍କାଯାଏ। ଏଥିପାଇଁ ପ୍ରାୟ ଘଣ୍ଟାଏ ସମୟ ଲାଗେ। ଏବେ ଘରେ ମା’ ନବରାତ୍ରବ୍ରତ ପାଳନ କରୁଥିବାରୁ ସେ ଘରେ ଏକ ମୃଣ୍ମୟୀ ଦୁର୍ଗା ମୂର୍ତ୍ତି ତିଆରି କରିଛନ୍ତି। ଆଗକୁ ଓଡ଼ିଶାର ହସ୍ତଶିଳ୍ପ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଥିବା ଶ୍ରୁତି କୁହନ୍ତି।