Categories: ଖେଳ

ଓଡ଼ିଶାର ସୌନ୍ଦର୍ଯ୍ୟ ତୃତୀୟ

ଭୁବନେଶ୍ୱର,୨୨ା୩(କ୍ରୀଡ଼ା ପ୍ରତିନିଧି): ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେଶନ ଫର୍‌ ଦି ବ୍ଲାଇଣ୍ଡ (ଏଆଇସିଏଫବି) ଆନୁକୂଲ୍ୟରେ ୧୬ତମ ଜାତୀୟ ଦୃଷ୍ଟିହୀନ ଚେସ୍‌ ପ୍ରତିୟୋଗିତା ଚଳିତମାସ ୧୩ରୁ ୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଷ୍ଠିତ ଚେସ୍‌ ତାରକା ତଥା ଗତଥରର ଜାତୀୟ ଚାମ୍ପିୟନ ସୌନ୍ଦର୍ୟ୍ୟ କୁମାର ପ୍ରଧାନ ଏହି ପ୍ରତିୟୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ସେ ୯ ରାଉଣ୍ଡ ଖେଳରୁ ୭ ପଏଣ୍ଟ ହାସଲ କରିଥିଲେ। ଏଥିସହ ସେ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଏସିଆନ ପାରା ଗେମ୍ସ ଏବଂ ଆଇବିସିଏ ବିଶ୍ୱ ଚାମ୍ପିଅନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟ ଦୁଇ ଓଡ଼ିଶା ଖେଳାଳି ପ୍ରାଚୁର୍ୟ୍ୟ କୁମାର ପ୍ରଧାନ (୫.୫) ଓ ଶୁଭେନ୍ଦୁ କୁମାର ପାତ୍ର (୫) ଯଥାକ୍ରମେ ୧୪ ଓ ୧୭ତମ ସ୍ଥାନରେ ରହିଥିଲେ। ସୌନ୍ଦର୍ଯ୍ୟଙ୍କୁ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ ସଭାପତି ଜି. ସି. ମହାପାତ୍ର ଓ ସମ୍ପାଦକ ଦେବବ୍ରତ ଭଟ୍ଟ ଅଭିନନ୍ଦନ ଜଣାଇଛନ୍ତି।

Share