ନେପୋଟିଜମ୍‌କୁ ନେଇ ମୁହଁ ଖୋଲିଲେ ବେବୋ

ମୁମ୍ବାଇ: ବଲିଉଡ୍‌ ପାଇଁ ୨୦୨୦ ହେଉଛି ଏକ ଅଶୁଭ ବର୍ଷ। ଚଳିତବର୍ଷ ବଲିଉଡ୍‌ ବହୁ ଅଭିନେତା ଅଭିନେତ୍ରୀଙ୍କୁ ହରେଇଛି। ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁ ସ୍ବାଭାବିକ ସ୍ଥିତି ଫେରିବାକୁ ଆହୁରି ସମୟ ଲାଗିବ। ଜୁନ୍‌ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ନେପୋଟିଜିମକୁ ନେଇ ଚର୍ଚ୍ଚା ସରଗରମ ରହିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ବଲିଉଡ୍‌ର ବେବୋ କରୀନା କପୁର୍‌ ଖାନ୍‌। ଜାତୀୟ ଗଣମାଧ୍ୟମର ଜଣେ ଜଣାଶୁଣା ବରିଷ୍ଠ ଖବରଦାତାଙ୍କୁ ସାକ୍ଷାତକାର ଦେବା ଅବସରରେ କରୀନା କହିଛନ୍ତି, ଗୋଟିଏ କଳାକାରକୁ ଦର୍ଶକ ହିଁ ଗଢ଼ିଥାନ୍ତି। ଯେଉଁମାନେ ‘ନେପୋଟିଜମ୍‌’କୁ ପ୍ରସଙ୍ଗ କରି ଅନ୍ୟ କଳାକାରମାନଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି, ସେହିମାନେ ହିଁ ନେପୋଟିଷ୍ଟିକ ଷ୍ଟାର୍‌ଙ୍କୁ ଜନ୍ମ ଦିଅନ୍ତି। ୨୧ ବର୍ଷ ଧରି ଚଳଚ୍ଚିତ୍ର ଦୁନିଆରେ ରହି ମୁଁ ଏତିକି ଅନୁଭବ କରିଛି, ଏଠାରେ ଦର୍ଶକଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି। ମୁଁ ବି ମୋ ଜୀବନରେ ବହୁତ ସଂଘର୍ଷ କରିଛି। ହୁଏ ତ ମୋ କ୍ୟାରିୟର୍‌ ୧୦ ଟଙ୍କା ନେଇ ଟ୍ରେନ ଯାତ୍ରାରୁ ଆରମ୍ଭ ହୋଇନାହିଁ, କିନ୍ତୁ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରିଛି। ଷ୍ଟାର୍‌ କିଡ୍‌ ହେଲେ କ’ଣ ହେଲା, ଆକ୍ଟିଂ ନିଜକୁ କରିବାକୁ ପଡ଼ିଥାଏ। ଅଭିନୟରେ କିଏ କେତେ ସଫଳ, ତାହା କେବଳ ଦର୍ଶକମାନେ କହିପାରିବେ। ସେଥିଲାଗି ଯିଏ କଷ୍ଟ କରୁଛନ୍ତି, ତାଙ୍କୁ ଦର୍ଶକ ସୁଯୋଗ ଦେବା ଦରକାର ଏବଂ ସେମାନଙ୍କ ପାଇଁ ଘୃଣାଭାବ ନ ଆଣିବା ଦରକାର। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଶାହରୁଖ ଖାନ୍‌, ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା ଓ ରାଜକୁମାର ରାଓ। ଅତି ସାଧାରଣ ପରିବାରରୁ ଆସି ଆଜି ବଲିଉଡ୍‌ରେ ସଫଳ ଚେହେରା ପାଲଟିଛନ୍ତି ଏମାନେ। ଏଠାରେ କଠିନ ପରିଶ୍ରମ କରିବା ଓ ଆଗକୁ ବଢ଼ିବା ହିଁ ଏକମାତ୍ର ମନ୍ତ୍ର। ସେ ଆଲିଆ ଭଟ୍ଟ ହୁଅନ୍ତୁ କି କରୀନା କପୁର।

Share