Categories: ଜାତୀୟ

ବର୍ଦ୍ଧିତ ପେଟ୍ରୋଲ ଦର ପାଇଁ ତାଲିବାନ୍‌କୁ ଦାୟୀ କଲେ ଭାଜପା ନେତା

ବେଙ୍ଗାଲୁରୁ,୪।୯: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ପାଇଁ ତାଲିବାନ୍‌ ଯୋଗୁ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ଦାୟୀ। ଅହେତୁକ ବୃଦ୍ଧି ପାଉଥିବା ତୈଳ ଦର ଉପରେ ପ୍ରଶ୍ନ କରାଯିବାରୁ ଏଭଳି ଉତ୍ତର ଦେଇଛନ୍ତି କର୍ନାଟକର ଭାଜପା ବିଧାୟକ ଅରବିନ୍ଦ ବେଲାଡ।

ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରେ ଅଶୋଧିତ ତୈଳର ଯୋଗାଣ ବାଧାପ୍ରାପ୍ତ ହୋଇଛି। ପରିଣାମ ସ୍ବରୂପ ଦେଶରେ ବୃଦ୍ଧି ପାଉଛି ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲର ଦର। ବର୍ଦ୍ଧିତ ଦର ପଛର କାରଣ ଜାଣିବା ପାଇଁ ଭୋଟରମାନେ ଏବେ ଯଥେଷ୍ଟ ପରିପକ୍ୱ ବୋଲି ହୁବଲି-ଧଓର୍‌ବାଡ୍‌ ପଶ୍ଚିମ ନିର୍ବାଚନ ମଣ୍ଡଳୀର ବିଧାୟକ ବେଲାଡ କହିଛନ୍ତି।

ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ଅଶୋଧିତ ତୈଳ ଆମଦାନୀକାରୀ। କିନ୍ତୁ ବିଶ୍ୱରେ ସର୍ବାଧିକ ତୈଳ ରପ୍ତାନୀ କରୁଥିବା ଦେଶମାନଙ୍କ ତାଲିକାରେ ଆଫଗାନିସ୍ତାନ ନାହିଁ। ତେବେ ଚଳିତ ବର୍ଷର ଜୁଲାଇର ରିପୋର୍ଟ ଅନୁଯାୟୀ, ଇରାକ, ସୌଦି ଆରବିଆ, ୟୁନାଇଟେଡ୍‌ ଆରବ ଏମିରେଟ୍ସ, ନାଇଜେରିଆ, ଆମେରିକା ଓ କାନାଡା ଆଦି ୬ଟି ଦେଶରୁ ଭାରତ ଅଶୋଧିତ ତୈଳ ଆମଦାନୀ କରୁଛି।

ଆଫଗାନିସ୍ତାନର ବର୍ତ୍ତମାନ ପରିସ୍ଥିତି ଯୋଗୁ ତୈଳ ଓ ଗ୍ୟାସ ଦରକୁ ପ୍ରଭାବିତ କଲା ଭଳି କ୍ଷମତା ରହିଛି। କିନ୍ତୁ ଏହି କ୍ଷେତ୍ରରେ ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନାହିଁ। କିନ୍ତୁ ଗତ କିଛି ମାସ ହେଲା ଦେଶରେ ତୈଳ (ପେଟ୍ରୋଲ ଓ ଡିଜେଲ) ଏବଂ ଏଲପିଜି ସିଲିଣ୍ଡର ଦରରେ ଅହେତୁକ ବୃଦ୍ଧି ପରିଲ୍ଲଖିତ ହୋଇଛି। ଏଥି ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବେଶ୍‌ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଗତ ମାସରେ ସରକାର ନିଜକୁ ବଞ୍ଚାଇବା ପାଇଁ ବିରୋଧୀଙ୍କ ଉପରେ ଦୋଷ ଲଦି ଦେଇଥିଲେ। ସେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନ କହିଥିଲେ, ତୈଳ ଦଳର ଦେଶରେ କମି ପାରିବ ନାହିଁ। କାରଣ କଂଗ୍ରେସ ଅମଳରେ ବିଭିନ୍ନ କମ୍ପାନୀ ନିକଟରେ ଅଏଲ ବଣ୍ଡ ବନ୍ଧା ପକା ଯାଇଥିଲା।

Share