ଭାକ୍ସିନ୍‌ ବିକି ୯ ଜଣ ପାଲଟିଛନ୍ତି କୋଟିପତି: ମୋଡେର୍ନା ସିଇଓ ଶୀର୍ଷରେ..

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବା ସାନିଟାଇଜର, ମାସ୍କ୍‌, ହ୍ୟାଣ୍ଡ୍‌ଓ୍ବାଶ୍‌ ଆଦିର ଚାହିଦା ବଢ଼ିଛି। ଏସବୁ ପ୍ରସ୍ତୁତ କରି ବହୁ ଲୋକଙ୍କ ଆର୍ଥିକ ସ୍ଥିତି ଏବେ ସୁଧୁରି ଯାଇଛି। ସେହିପରି ଭାକ୍ସିନ୍‌ ବିକ୍ରି କରି ପୃଥିବୀର ୯ ଜଣ ବ୍ୟକ୍ତି କୋଟିପତି ପାଲଟି ଯାଇଛନ୍ତି। ଏବେ ସେମାନଙ୍କ ସମ୍ପତ୍ତି ପରିମାଣ ୧୦୦ କୋଟିରୁ ଅଧିକ ରହିଛି। ଏନେଇ ପିପୁଲ୍ସ ଭାକ୍ସିନ୍‌ ଆଲାଏନ୍ସ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ମହାମାରୀ ଯୋଗୁ ଧନୀକ ପାଲଟିଥିବା ଏହି ୯ ଜଣଙ୍କ ମୋଟ ସମ୍ପତ୍ତି ୧,୪୧,୧୨୨ କୋଟି ଟଙ୍କାରେ ପହଞ୍ଚିଛି। ପ୍ରକାଶିତ ତାଲିକାର ଶୀର୍ଷରେ ମୋଡେର୍ନା ଭାକ୍ସିନ୍‌ ସିଇଓ ଷ୍ଟିଫେନ୍‌ ବେଂସଲ ରହିଛନ୍ତି। ଏହି ସୂଚନା ଫୋର୍ବସ ଧନୀକ ତାଲିକା ଆଧାରରେ ପ୍ରସ୍ତୁତ କରାଯାଇଥିବା ପିପୁଲ୍ସ ଭାକ୍ସିନ୍‌ ଆଲାଏନ୍ସ୍‌ର ଅଂଶବିଶେଷ ଅକ୍ସଫେମ୍‌ ଚାରିଟିର ଏନା ମେରିଓଟ୍‌ ସୂଚନା ଦେଇଛନ୍ତି। ତାଲିକାର ବାୟୋଏନ୍‌ଟେକ୍‌ ସିଇଓ ଓଗର ସାହିନ୍‌ ମଧ୍ୟ ରହିଛନ୍ତି। ଏଥିରେ ଚାଇନାର ଭାକ୍ସିନ୍‌ କମ୍ପାନୀ କୋସିନୋ ବାୟୋଲୋଜିକ୍ସ୍‌ର ସହସଂସ୍ଥାପକଙ୍କ ନାମ ମଧ୍ୟ ରହିଛି।

 

 

Share