ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଭାରତର ୫ ଜଣ ଧନୀ ଭିକାରିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ଭିକ ମାଗି ଧନୀ ପାଲଟିଛନ୍ତି। ତାଙ୍କର ଗୋଟିଏ ମାସର ରୋଜଗାର ଚାକିରିଆଙ୍କ ମାସିକ ଦରମାଠାରୁ ମଧ୍ୟ ଅଧିକ। ମୁମ୍ବାଇର ପରେଲ ଅଞ୍ଚଳରେ ଭିକ ମାଗୁଥିବା ଭରତ ଜୈନ୍‌ ଦେଶର ସବୁଠାରୁ ଧନୀ ଭିକାରି। ସେ ଭିକ ମାଗି ମାସକୁ ୭୫ ହଜାର ଟଙ୍କାରୁ ଅଧିକ ରୋଜଗାର କରନ୍ତି। ତାଙ୍କ ପାଖରେ କୋଟିଏ ୪୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି। ସେହିପରି କୋଲକାତାରେ ୧୯୬୪ଠାରୁ ଭିକ ମାଗୁଥିବା ଲକ୍ଷ୍ମୀ ଦ୍ୱିତୀୟ ଧନୀ ଭିକାରି। ସେ ୧୬ ବର୍ଷ ବୟସରୁ ଭିକ ମାଗିବା ଆରମ୍ଭ କରିଥିଲେ। ସେ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରି ରଖିଛନ୍ତି। ପ୍ରତିଦିନ ସେ ଭିକ ମାଗି ହଜାରେ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ୩୦ ହଜାର ଟଙ୍କାରୁ ଅଧିକ। ସେହିପରି ମୁମ୍ବାଇର ଗୀତା ଦେଶର ତୃତୀୟ ଧନୀ ଭିକାରି। ସେ ଚରନି ରୋଡ୍‌ ପାଖରେ ଭିକ ମାଗିଥାନ୍ତି। ଭିକ ମାଗି ସେ ଫ୍ଲାଟ୍‌ କିଣି ସାରିଛନ୍ତି। ସେ ନିଜ ଭାଇଙ୍କ ସହିତ ରହୁଛନ୍ତି। ପ୍ରତିଦିନ ହାରାହାରି ସେ ୧୫ ଶହ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୪୫ ହଜାର ଟଙ୍କା ହେବ। ଧନୀ ଭିକାରି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇର ଚନ୍ଦ୍ର ଆଜାଦ୍‌ଙ୍କ ନାମ ରହିଛି। ୨୦୧୯ରେ ଏକ ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିବା ପରେ ପୋଲିସ ତାଙ୍କର ସମ୍ପତ୍ତି ସମ୍ପର୍କରେ ଜାଣିପାରିଥିଲା। ତାଙ୍କ ବ୍ୟାଙ୍କ ୮ ଲକ୍ଷ ୭୭ ହଜାର ଟଙ୍କା ଜମା ଥିବାବେଳେ ପାଖରେ ନଗଦ ଦେଢ଼ଲକ୍ଷ ଟଙ୍କା ଥିଲା। ଏହା ସହିତ ଙ୍ଗୋଓ୍ବଡ଼ିଠାରେ ନିଜର ଏକ ଘର ମଧ୍ୟ ଥିଲା। ଭିକ ମାଗି ଧନୀ ହୋଇଥିବା ତାଲିକାର ପଞ୍ଚମସ୍ଥାନରେ ବିହାର ପାଟନାର ପପ୍ପୁଙ୍କ ନାମ ରହିଛି। ସେ ପାଟନା ରେଳ ଷ୍ଟେଶନରେ ଭିକ ମାଗିଥାନ୍ତି। ଏକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ପପ୍ପୁ ଭିକ ମାଗି ଚଳୁଛନ୍ତି। ତାଙ୍କ ପାଖରେ କୋଟିଏ ୨୫ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି।

Share