କୋଟ୍‌ଲାରେ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବେଦୀଙ୍କ ବିରୋଧ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପୂର୍ବତନ ସଭାପତି ଅରୁଣ ଜେଟ୍‌ଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରିଛନ୍ତି ସ୍ପିନ୍‌ କିମ୍ବଦନ୍ତୀ ବିଶନ ସିଂ ବେଦୀ। ଦିଲ୍ଲୀ ଡିଷ୍ଟ୍ରିକ୍ସ କ୍ରିକେଟ ଆସୋସିଏଶନ (ଡିଡିସିଏ)ଏ ନେଇ ନିଷ୍ପତ୍ତି ନେଇଥିବାରୁ ସେ ଏହାର କଡ଼ା ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ ଏଥିରେ ଅସନ୍ତୋଷ ଜାହିର କରି ଦର୍ଶକ ଷ୍ଟାଣ୍ଟରେ ନିଜ ନାମକୁ ବାଦ୍‌ ଦେବାକୁ ସେ ଦାବି କରିଛନ୍ତି। ଏହାଦ୍ୱାରା ଡିଡିସିଏ ନେପୋଟିଜିମକୁ ପ୍ରାତ୍ସାହିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କ୍ରିକେଟରଙ୍କ ଅପେକ୍ଷା ପ୍ରଶାସକଙ୍କୁ ଅଧିକ ଗୁରୁତ୍ୱ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଡିଡିସିଏର ମେମ୍ବରଶିପ୍‌ରୁ ମଧ୍ୟ ତାଙ୍କୁ ବାଦ୍‌ ଦେବାକୁ ବେଦୀ କହିଛନ୍ତି।
ଡିଡିସିଏ ଅଧ୍ୟକ୍ଷ ରୋହନ ଜେଟ୍‌ଲୀଙ୍କୁ ଚିଠି ଲେଖି ବେଦୀ ନିଜର ଦାବି ଉପସ୍ଥାପନ କରିଛନ୍ତି। ଉଲ୍ଲେଖଥାଉ କି, ରୋହନ ପୂର୍ବତନ ଡିଡିସିଏ ସଭାପତି ତଥା ଭାଜପା ନେତୃତ୍ୱ ଏନ୍‌ଡିଏ ସରକାରର ପୂର୍ବତନ ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ। ଗତବର୍ଷ ଅରୁଣ ଦୀଘଦିନର ଅସୁସ୍ଥତା କାରଣରୁ ପ୍ରାଣତ୍ୟାଗ କରିଥିଲେ।
ଦର୍ଶକ ଷ୍ଟାଣ୍ଡରୁ ମୋ ନାମ ଓ ଡିଡିସିଏ ସଦସ୍ୟତାରୁ ମୋତେ ବାଦ୍‌ ଦିଆଯାଉ ବୋଲି ବେଦୀ ଅସନ୍ତୋଷ ଜାହିର କରି ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏ ନେଇ ଡିଡିସିଏ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଉଲ୍ଲେଖଥାଉ କି, ଅରୁଣ ଜେଟ୍‌ଲୀ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସ୍ମୃତିରେ ଡିଡିସିଏ ଏକ ୬ ଫୁଟ୍‌ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୭ ନଭେମ୍ବରରେ ଡିଡିସିଏ ବେଦୀ ଓ ମହିନ୍ଦର ଅମରନାଥଙ୍କ ନାମରେ ଏକ ଦର୍ଶକ ଷ୍ଟାଣ୍ଡର ନାମକରଣ କରିଥିଲା। ପୂର୍ବରୁ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡର ନାମ ପରିବର୍ତ୍ତନ କରିଯାଇଛି। ଏହା ଏବେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ଭାବେ ପରିଚିତ। ଅରୁଣ ଜେଟ୍‌ଲୀଙ୍କ କେବେ ପ୍ରଶଂସକ ନ ଥିଲି ଓ ତାଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ କେବେ ପସନ୍ଦ କରେ ନାହିଁ ବୋଲି ବେଦୀ କହିଛନ୍ତି।

Share