ଶଯ୍ୟା ୩୫, ସେବା ପାଉଛନ୍ତି ୧୦୦

ଚମ୍ପୁଆ,୯।୭(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ନାନା ଘାତ ପ୍ରତିଘାତ ଭିତରେ ଗତି କରୁଛି। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ରୋଗୀ ସେବା ନିମନ୍ତେ ବିଭିନ୍ନ ଯୋଜନା ସହିତ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ମାତ୍ର ଚମ୍ପୁଆ ଚିକିତ୍ସାଳୟରେ ଏହାର ସଫଳତା ଆଶାଜନକ ଭାବରେ ବୃଦ୍ଧି ପାଉନାହିଁ। ଚିକିତ୍ସାଳୟରେ ରୋଗୀ ସେବା ନିମନ୍ତେ ୩୫ ଶଯ୍ୟା ରହିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଆଇପିଏଚ୍‌ସି ନିୟମ ଅନୁଯାୟୀ, ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାରେ ଯୋଗାଇ ଦିଆଯାଉଥିବା ରୋଗୀ ସେବା ନିମନ୍ତେ ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଏଠାରେ ଅଭାବ ରହିଛି। ଫଳରେ ରୋଗୀ ଉଚିତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସୂଚନା ଅନୁଯାୟୀ, ୧୯୧୦ରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ୩୫ ଶଯ୍ୟା ରହିଥିବା ବେଳେ ଡାକ୍ତରଖାନା ଉପରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସମେତ ମୟୂରଭଞ୍ଜ ଜିଲାବାସୀ ନିର୍ଭ କରନ୍ତି। ବର୍ତ୍ତମାନ ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଶଯ୍ୟାରେ ରୋଗୀ ସେବା ଯୋଗାଇ ଦିଆଯାଉଛି। ମାତ୍ର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ମେଡିସିନ ବିଭାଗର ୨ ଡାକ୍ତର, ସର୍ଜରି ବିଭାଗରେ ୨, ଚକ୍ଷୁ ବିଭାଗରେ ଜଣେ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଏଠାରେ ଜଣେ ଲେଖାଏଁ ଡାକ୍ତର ସେବା ଯୋଗାଉଛନ୍ତି। ଅର୍ଥୋପେଡିକ୍‌ସ, ଚର୍ମରୋଗ, ନାଶା ଗଳା ବିଭାଗରେ କେହି ଡାକ୍ତର ନାହାନ୍ତି। ୨୦ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସ୍ଥାନରେ ମାତ୍ର ୩ ଜଣ କାର୍ଯ୍ୟ ତୁଲାଉଛନ୍ତି। ଅନ୍ୟପକ୍ଷରେ ୬୦ ଜଣ ନର୍ସଙ୍କ ଆବଶ୍ୟକ ରହିଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ୧୦ ଜଣଙ୍କୁ ମିଶାଇ ୨୩ ଜଣ କାମ କରୁଛନ୍ତି। ଏପରିକି ୫୦୦ ଏମ୍‌ଏମ୍‌ ଡିଜିଟାଲ ଏକ୍ସରେ ନ ଥିବା ବେଳେ ଇସିଜି ଅପରେଟର କେହି ନାହାନ୍ତି। ରେଡିଓଗ୍ରାଫର ନିମନ୍ତେ ୨ ଜଣଙ୍କ ସ୍ଥାନରେ ଜଣେ ରହିଛନ୍ତି। ଏଥିସହିତ ଚିକିତ୍ସାଳୟରେ ଆଇସିୟୁ ଶଯ୍ୟା ୪ ସ୍ଥାନରେ ୨ ରହିଛି। ତାହାବି କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଡାକ୍ତରଖାନା ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଆନୁଷଙ୍ଗିକ ଉନ୍ନତି ଅଭାବରୁ ରୋଗୀ ସେବା ବ୍ୟାହତ ହେଉଛି। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ. ଉମାକାନ୍ତ ସାହୁ କହିଛନ୍ତି, ଚିକିତ୍ସାଳୟ ଦ୍ୱାରା ଝାଡ଼ଖଣ୍ଡ, ମୟୂରଭଞ୍ଜ ଓ ସ୍ଥାନୀୟ ଅଞ୍ଚଳର ଶହ ଶହ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି। ମାତ୍ର ଭିତ୍ତିଭୂମି ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଗଲେ ରୋଗୀ ସେବାରେ ଉନ୍ନତି ଅଣାଯାଇପାରିବ ବୋଲି ସେ କହିଥିଲେ।