କୃଷି ବିଜ୍ଞାନ କେନ୍ଦ୍ରରେ ମହୁଚାଷ ପ୍ରଶିକ୍ଷଣ ଶିବିର

ସୁନ୍ଦରଗଡ଼, ୧୨।୧୨ (ଡି.ଏନ୍‌.ଏ) -ଜିଲାରେ ମହୁଚାଷର ଅଭିବୃଦ୍ଧି ନିମନ୍ତେ ଚାଷୀଙ୍କ ପାଇଁ ୩ ଦିନିଆ ଦକ୍ଷତାମୂଳକ ତାଲିମ ଶିବିର ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଶିବିରରେ ଜିଲାର ୯ଟି ବ୍ଲକ ସୁନ୍ଦରଗଡ ସଦର, ଲେଫ୍ରିପଡା, ଟାଙ୍ଗରପାଲି , ହେମଗିର, ସବଡେଗା, ବାଲିଶଙ୍କରା, କୁତ୍ରା, ବଡଗାଁ ଓ ରାଜଗାଙ୍ଗପୁର ବ୍ଲକର ୩୦ଜଣ ଚାଷୀଯୋଗ ଦେଇଥିଲେ। ଏହି ଶିବିରରେ ମହୁଚାଷ ସମ୍ପର୍କରେ ଚାଷୀଙ୍କୁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ ସହ ତାଲିମ ଦିଆଯାଇଥିଲା। ଶତ୍ରୁଘନ ମିଶ୍ର, ପ୍ରସନ୍ନ ପଟେଲ, କୌଶିକ ନାୟକ, ଡ. ସୁଶାନ୍ତ ନାୟକ, ବୈଜ୍ଞାନିକ ପୂର୍ବଭାରତୀୟ ଆଞ୍ଚଳିକ ଗବେଷଣା କେନ୍ଦ୍ର ରାଞ୍ଚିର ସଂଘମିତ୍ରା ସାହୁ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ପ୍ରଧାନ ମହୁଚାଷର ବିଭିନ୍ନ କୌଶଳ ଓ ଏହା ଦ୍ୱାରା ଚାଷୀମାନେ କିଭଳି ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ, ଆତ୍ମାର ଉପନିର୍ଦ୍ଦେଶକ ନୃସିଂହ ବେହେରା, ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଜଗତେଶ୍ୱର ବେହେରା, ଜଳବିଭାଜିକା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପୀତବାସ ସାହୁ ,ସିଆଇଆରଟିଡି ଅନୁଷ୍ଠାନର ନଟ କିଶୋରମିଶ୍ର ପ୍ରମୁଖ ଯୋଗଦେଇଥିଲେ।