Categories: ମେଟ୍ରୋ

ହୀରାଙ୍କ ସହ ମହୁମାଛିଙ୍କ ବନ୍ଧୁତା

ଆଳି,୨୩ା୭(ବନମାଳୀ ସେନାପତି )ମହୁମାଛିଙ୍କ ଆକ୍ରମଣ ଖୁବ୍‌ କଷ୍ଟଦାୟକ। କେହି କେହି ମହୁମାଛିଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ନଜିର ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ୍‌ର ଜଣେ ପାନଦୋକାନୀଙ୍କ ସହିତ ମହୁମାଛିମାନେ ବନ୍ଧୁତା ସ୍ଥାପନ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମହୁମାଛିମାନେ ସେହି ପାନଦୋକାନୀଙ୍କ ପାଖକୁ ଆସି ପ୍ରତିଦିନ ଖାଦ୍ୟ ଗ୍ରହଣ କରିଥାଆନ୍ତି। ଖାଇ ସାରିବା ପରେ ତାଙ୍କ ଦେହ,ହାତରେ ବସି କିଛି ସମୟ କଟାଇ ପୁଣି ଉଡ଼ିଯାଆନ୍ତି। ଦୈନିକ ଏମିତି ଚାଲେ। ମହୁମାଛିଙ୍କ ଏପରି ବନ୍ଧୁତ୍ୱ ଦେଖିବାକୁ ଏବେ ସେହି ଦୋକାନଙ୍କ ଲୋକଙ୍କ ଭିଡ଼ ଜମୁଛି।
ସୂଚନା ଅନୁଯାୟୀ, ଆଳି ମେଡିକାଲ ରୋଡ୍‌ରେ ଆଳି ବ୍ଲକ ଦେମାଳ ପଞ୍ଚାୟତ ଲୋକାପଡ଼ା ଗ୍ରାମର ଗଣେଶ ଚନ୍ଦ୍ର ରାୟ (ହୀରା )ଙ୍କ ଏକ ପାନଦୋକାନ ରହିଛି। ଦୀର୍ଘଦିନ ଧରି ଯାତ୍ରାପାର୍ଟି ଓ ନୃତ୍ୟଦଳରେ ଅଭିନୟ କରିଥିବା ହୀରା ଏବେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଗତ ଦେଢ଼ ମାସ ହେବ ତାଙ୍କ ଦୋକାନରେ ଶତାଧିକ ସଂଖ୍ୟାର ମହୁମାଛିଙ୍କୁ ଦେଖିବାକୁ ମିଳୁଛି। ଏ ନେଇ ହୀରା କୁହନ୍ତି, ଚଳିତ ବର୍ଷ ରଜ ସମୟରେ ତାଙ୍କ ଦୋକାନକୁ ସେ ଦିଲ୍ଲୀରୁ ଏକ ସ୍ପେଶାଲ ମିଠା ମସଲା ମଗାଇଥିଲେ। ରଜ ପାନରେ ସେହି ମସଲା ପକାଇ ପାନ ଭାଙ୍ଗୁ ଥିବା ସମୟରେ ହଠାତ ମେଞ୍ଚାଏ ମହୁମାଛି ତାଙ୍କ ଦୋକାନ ଭିତରକୁ ପଶି ଆସିଥିଲେ। ମହୁମାଛିଙ୍କୁ ଦେଖି ସେ ନିଜେ ଓ ଉପସ୍ଥିତ ଗ୍ରାହକମାନେ ଡରିଯାଇଥିଲେ। ମହୁମାଛିମାନେ ହୀରାଙ୍କୁ ପାନ ଭାଙ୍ଗିବାରେ ଅସୁବିଧା ସୃଷ୍ଟି କରି ଏଣେତେଣ ଉଡ଼ିବାକୁ ଲାଗିଲେ। ଯେତେ ଘଉଡ଼ାଇଲେ ବି ମହୁମାଛିମାନେ ଗଲେ ନାହିଁ। ଏହାଦେଖି ହୀରା ଏକ ପାତ୍ରରେ କିଛି ଚେରି ଫଳ ସହିତ ସେହି ମିଠା ମସଲା ଗୋଳାଇ ରଖିଥିଲେ। ମହୁମାଛିମାନେ ସେହି ପାତ୍ରରେ ଏକାଠି ହୋଇ ଚେରିରେ ଗୋଳାଯାଇଥିବା ମିଠା ମସଲା ଖାଇ ପଳାଇ ଯାଇଥିଲେ l ଏହାର କିଛି ସମୟ ପରେ ପୁନର୍ବାର ମହୁମାଛିମାନେ ଦୋକାନକୁ ଆସିଥିଲେ। ହୀରା ତାଙ୍କୁ ପୁଣିଥରେ ସେହି ମିଠା ମସଲା ଖାଇବାକୁ ଦେଇଥିଲେ। ସେଦିନରୁ ଆଜି ପର୍ଯ୍ୟନ୍ତ ହୀରା ଦୈନିକ ସକାଳ ଦୋକାନ ଖୋଲି ଧୂପ ଦେବା ପରେ ମହୁମାଛିମାନେ ଆସି ଯାଆନ୍ତି। ହୀରା ବି ସେମାନଙ୍କ ପାଇଁ ଏକ ପାତ୍ରରେ କିଛି ଚୋରି ଫଳ ସହିତ ସେହି ମିଠା ମସଲା ଗୋଳାଇ ଖାଇବାକୁ ଦେଇ ନିଜ ବ୍ୟବସାୟ ଆରମ୍ଭ କରିଥାଆନ୍ତି l ଏମିତି ସବୁଦିନ ଚାଲେ। ହେଲେ ମହୁମାଛିମାନେ ହୀରା କିମ୍ବା ଅନ୍ୟ ଗ୍ରାହକମାନଙ୍କ କୌଣସି କ୍ଷତି କରୁନାହାନ୍ତି। ଏ ନେଇ ହୀରା କୁହନ୍ତି, ପଶୁପକ୍ଷୀମାନଙ୍କୁ ଭଲ ପାଇଲେ ସେମାନେ ମଧ୍ୟ ତୁମକୁ ଭଲ ପାଇବେ l ଆଜିକା ଦିନରେ ମଣିଷ ଅନ୍ୟ ମଣିଷକୁ ଘୃଣା କରୁଛନ୍ତି। ହେଲେ ସାମାନ୍ୟ ଭଲପାଇବା ପାଇବା ପରେ ମହୁମାଛିମାନେ ମୋ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି।

Share