Categories: ରାଜ୍ୟ

ବେଫିକର ପରିବହନ ବିଭାଗ: ବିନା ନମ୍ବର ପ୍ଲେଟ ଓ ଫିଟନେସ ନ ଥାଇ ଚାଲୁଛି ଶହଶହ ଟ୍ରକ

ନିରାକାରପୁର,୧୩।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିନା କାଗଜପତ୍ର ଏବଂ ବିନା ନମ୍ବରପ୍ଲେଟରେ ଭାରୀଯାନ ଚଳାଚଳ କରୁଛି। ଏନେଇ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ପରିବହନ ବିଭାଗର ଅପାରଗତା ଯୋଗୁ ଦୈନିକ ଶହଶହ ଟ୍ରକ ନୂଆ ଜଗନ୍ନାଥ ସଡକ ଦେଇ ଯା’ଆସ କରୁଛି। ଜିଲା ପରିବହନ ବିଭାଗ ପକ୍ଷରୁ ଏହି ଗାଡିଗୁଡିକୁ ଯାଞ୍ଚ କରାଯାଉ ନ ଥିବାରୁ ଗାଡିଚାଳକ ଓ ମାଲିକମାନେ ପ୍ରଶାସନ ଆଖିରେ ଧୂଳିଦେଇ ବେଧଡକ ଭାବରେ ଗାଡି ଚଳାଚଳ ଜାରି ରଖିଛନ୍ତି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏ ବିଷୟରେ ମୁହଁ ଖୋଲିବାକୁ ପରିବହନ ବିଭାଗ ନାରାଜ।

୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକଠାରୁ ନିରାକାରପୁର ବଜାର ଦେଇ ଭାରିଯାନରେ ପ୍ରତିଦିନ ଚୋରା ମାଙ୍କଡା ପଥର ଏବଂ ମୋରମ ଓ ବାଲି ଚାଲାଣ କରାଯାଉଛି। ଏହି ଗାଡି ଗୁଡିକର ପାରିପାର୍ଶିକ ଅବସ୍ଥା ଯାହା, ଏମାନଙ୍କୁ ବିଭାଗ ପକ୍ଷରୁ କିଭଳି ଫିଟନେସ ଦିଆଯାଉଛି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଠାରେ ଚଳାଚଳ କରୁଥିବା କିଛି ହାତ ଗଣତି ଭାରୀଯାନକୁ ଛାଡିଦେଲେ ଅଧିକାଂଶ ଭାରୀଯାନରେ ନମ୍ବରପ୍ଲେଟ ଅଥବା ଅନ୍ୟ କୌଣସି ସାଂକେତିକ ଚି଼ହ୍ନ ଦେଖିବାକୁ ମିଳୁନାହିଁ। ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଛି। ଦୁଃଖର ବିଷୟ ଏହି ଗାଡି ଗୁଡିକର ବେପରୁଆ ଗାଡି ଚାଳନା ସ୍ଥାନୀୟ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ନିୟମ ଅନୁସାରେ ଏ ଗାଡିରରେ କୌଣସି ଜିନିଷ ଗଲେ ତାହାକୁ ଜରିପଲରେ ଘୋଡ଼େଇକି ନେବାକଥା ତାହାମଧ୍ୟ କରାଯାଉନି ଯାହା ଫଳରେ ଏହା ପଛରେ ଯାଉଥିବା ବାଇକ ଓ ଅନ୍ୟାନ୍ୟ ଗାଡି ନାହି ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଏହି ବେଆଇନ ଗାଡି ଯିବା ଦ୍ୱାରା ପରିବେଶ ପ୍ରଦୂଷଣ, ଗ୍ରାମ ରାସ୍ତା ଖରାପ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ଜିଲା ପରିବହନ ବିଭାଗ ଏହି ଭାରୀଯାନଗୁଡିକର ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହେଉଛି। ସୂଚନା ଯୋଗ୍ୟ କି ଏହି ବିନା ନମ୍ବର ପ୍ଲେଟ ଗାଡି ଗୁଡିକ ବିଶେଷକରି ରାତିରେ ଚୋରା ମୋରମ, ମାଙ୍କଡା ପଥର ନେଇ ଚଢ଼ାଉ ଭୟରେ ଯା’ଆସ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

Share