ଭୁବନେଶ୍ୱର, ୭ା୯(ବ୍ୟୁରୋ)- ଚଳିତମାସ ଶେଷ ସୁଦ୍ଧା ବିଧାନସଭା ଅଧିବେଶନ ବସିବ। ବୈଠକ ବସିବାର ଦୁଇଦିନ ପୂର୍ବରୁ ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଅଧିବେଶନର ପ୍ରସ୍ତୁତି ଓ ବିଧାୟକମାନଙ୍କର କରୋନା ପରୀକ୍ଷା ନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ, ଅଧିବେଶନରେ ଯୋଗଦେଉଥିବା ସମସ୍ତ ବିଧାୟକ, କର୍ମଚାରୀମାନଙ୍କର ସ୍ବାସ୍ଥ୍ୟ ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅଧିବେଶନର ଦୁଇଦିନ ପୂର୍ବରୁ ସମସ୍ତଙ୍କର ଆରଟିପିସିଆର କୋଭିଡ୍-୧୯ ପରୀକ୍ଷା କରାଯିବ। ଯେଉଁମାନଙ୍କର କରୋନା ନେଗେଟିଭ ଆସିବ ସେମାନଙ୍କୁ ଗୃହକାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିବ। ଯେଉଁମାନଙ୍କର ପଜିଟିଭ ଆସିବ ସେମାନଙ୍କୁ ବିଧାନସଭା ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବାଚସ୍ପତି କହିଛନ୍ତି।