ବ୍ୟାୟାମ କରିବା ପୂର୍ବରୁ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିୟମିତ ବ୍ୟାୟାମ କରିବା ଦରକାର। ହେଲେ କେତେକେ ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରି ନ ଥାନ୍ତି । ଏବେ ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେବା ସହ ବ୍ୟାୟାମ, ଯୋଗ, ପ୍ରାଣାୟାମ କରିବାକୁ କହୁଛନ୍ତି। କାରଣ ନିଜକୁ ନୀରୋଗ ତଥା ସୁସ୍ଥ ରଖିବା ପଛରେ ଏଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ବ୍ୟାୟାମ କରିବା ପୂର୍ବରୁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ପ୍ରଥମେ ଏହାପୂର୍ବରୁ ଆପଣ ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ଭଲ ଭାବରେ ଆଲୋଚନା କରନ୍ତୁ। ବ୍ୟାୟାମ କରିବା ପୂର୍ବରୁ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇନେଲେ ତାହା ଆହୁରି ଭଲ। ଯଦି ଅସୁସ୍ଥ ଅଛନ୍ତି ତେବେ ସୁସ୍ଥ ହେବା ପରେ ହିଁ ବ୍ୟାୟାମ କରନ୍ତୁ। ହେଲେ ତା’ପୂର୍ବରୁ ଡାକ୍ତରଙ୍କ ସହ ନିଜର ଫିଟନେସ ବିଷୟରେ ପରାମର୍ଶ କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଦାପି ଖାଲିପେଟରେ ବ୍ୟାୟାମ କରନ୍ତୁ ନାହିଁ। ଏହାପୂର୍ବରୁ ଅର୍ଥାତ୍‌, ବ୍ୟାୟାମ କରିବାର ୧୫-୨୦ମିନିଟ୍‌ ପୂର୍ବରୁ କିଛି ହାଲୁକା ଖାଦ୍ୟ ଖାଅନ୍ତୁ। ବ୍ୟାୟାମ ଶେଷ ହେବା ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ପାଖାପାଖି ୧୦-୧୫ ମିନିଟ୍‌ ପରେ ପାଣି ପିଇଲେ ଭଲ। ଯଦି ନିୟମିତ ବ୍ୟାୟାମ କରୁଛନ୍ତି ତେବେ ଦିନତମାମ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଖାଦ୍ୟ ତାଲିକାରେ ସୁଷମ ତଥା ଭିଟାମିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ସବୁବେଳେ ନିର୍ମଳ ପରିବେଶରେ ବ୍ୟାୟାମ କରନ୍ତୁ।