Categories: ଜାତୀୟ

ଫାଇନାଲ ପୂର୍ବରୁ ସେମି ଫାଇନାଲ ପ୍ରସ୍ତୁତି,ମିଶନ ୟୁପିକୁ ଭାଜପାର ଗୁରୁତ୍ୱାରୋପ…

ନୂଆଦିଲ୍ଲୀ,୮।୯: ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ଏହାର ୨ ବର୍ଷ ପୂର୍ବରୁ ଉତ୍ତରପ୍ରଦେଶ (ୟୁପି)ରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଫାଇନାଲ ପୂର୍ବରୁ ଭାଜପା ସେମି ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ମିଶନ ୟୁପି ଉପରେ ଗୁରୁତ୍ୱାରୋପ କରାଯାଉଛି। ନିର୍ବାଚନ ରଣନୀତି ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସେପ୍ଟେମ୍ବରରେ ୨ ଥର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସେପ୍ଟେମ୍ବର ୧୪ରେ ପ୍ରଧାନମନ୍ତ୍ରୀ ଆଲିଗଡ଼ ଯିବେ। ସେଠାରେ ରାଜା ମହେନ୍ଦ୍ର ପ୍ରତାପ ୟୁନିଭରସିଟିର ଶିଳାନ୍ୟାସ କରିବେ। ଏହା ସହିତ ଏକ ଜନସଭାରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସେପ୍ଟେମ୍ବର ୨୬ରେ ଲକ୍ଷ୍ନୌ ଗସ୍ତରେ ଯିବେ।

ଚଳିତ ବର୍ଷ ଦୀପାବଳି ଅବସରରେ ପ୍ରଧାନନ୍ତ]ନ୍ତ୍ରୀ ଅଯୋଧ୍ୟାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି। ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଗସ୍ତକ୍ରମ ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share