Categories: ଜାତୀୟ

ପୂର୍ବରୁ ହିନ୍ଦୁଥିଲେ ମୁସଲମାନ, ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ…

ଶ୍ରୀନଗର,୧୭।୮ : ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୁଲାମ ନବୀ ଆଜାଦ ଜମ୍ମୁ-କଶ୍ମୀରର ଲୋକଙ୍କୁ କହୁଛନ୍ତି ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ ଏବଂ ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ।

ଗୁଲାମ ନବୀ ଆଜାଦଙ୍କର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଜମ୍ମୁ-କଶ୍ମୀରର ଡୋଡା ଜିଲାର। ଗୁଲାମ ନବୀ ଆଜାଦ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଗଷ୍ଟ ୯ ରେ ଏଠାରେ ପହଞ୍ଚିଥିଲେ। ଭିଡିଓରେ ଆଜାଦ କହୁଛନ୍ତି, ଇସଲାମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। ଭାରତରେ କେହି ବାହାର ଲୋକ ନୁହଁନ୍ତି। ଆମେ ସମସ୍ତେ ଏହି ଦେଶର ଅଟୁ। ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ। ପରେ ସେମାନଙ୍କର ରୂପାନ୍ତରଣ ହୋଇଥିଲା।

ଏହା ବ୍ୟତୀତ ସେ କହିଛନ୍ତି, ୬୦୦ ବର୍ଷ ପୂର୍ବେ କଶ୍ମୀରରେ କେବଳ କଶ୍ମୀର ପଣ୍ଡିତ ଥିଲେ। ସେତେବେଳେ ଅନେକ ଲୋକ ଧର୍ମ ଗ୍ରହଣ କରି ମୁସଲମାନ ହୋଇଥିଲେ। ଆଜାଦ ଲୋକଙ୍କୁ ଭାଇଚାରା, ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ। ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ।

ଗୁଲାମ ନବୀ ଆଜାଦ କହିଛନ୍ତି, ଆମେ ବାହାରୁ ଆସି ନାହୁଁ। ଆମେ ହେଉଛେ ଏହି ମାଟିରୁ ଜନ୍ମ।

Share