ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”

ପୁରୀ,୧୪।୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେ ନେଇ ନିଷ୍ପତ୍ତି ହୋଇଛି। ଦିନ ୧ଟା ୨୮ ଶୁଭ ମୂହୁର୍ତ୍ତ ରହିଛି। ଏହି ସମୟରେ ରତ୍ନ ଭଣ୍ଡାର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯିବ। ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ସମସ୍ତେ ସ୍ଵଚ୍ଚ, ପବିତ୍ର ମନରେ ଏହି କାର୍ଯ୍ୟ କରିବାକୁ ଯାଉଛନ୍ତି। ରବିବାର ବସିଥିବା ବୈଠକରେ ସେ ସମସ୍ତଙ୍କୁ ସମର୍ପଣ ଭାବ ନେଇ କାମ କରିବାକ କହିଛନ୍ତି। ରତ୍ନଭଣ୍ଡାର ଭିତରକୁ ଯିବାକୁ ଥିବା ସଦସ୍ୟମାନଙ୍କୁ ସେ ପରାମର୍ଶ ଦେଇ କହିଛନ୍ତି ”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”।

ଏହାର ଅର୍ଥ ହେଉଛି ”ଯାହା ଦେଖିବାକୁ ତାହାକୁ ସର୍ବସାଧାରଣରେ ପ୍ରକାଶ କରିବା ନାହିଁ, ଏହାକୁ ଏକ ଗୋପନ ସେବା ଭାବେ ସମାପନ କରାଯିବ, ରତ୍ନଭଣ୍ଡାରରେ ଗଛିତ ରତ୍ନାଳଙ୍କର ଗୁଡ଼ିକ ଠିକ ଅଛି କି ନାହିଁ କେତେ ରହିଛି ତାହାକୁ ପ୍ରକାଶ କରିବେ ନାହିଁ।”

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚନା କରାଯାଇଛି, ପ୍ରଭୁ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସିଛି। ମନ୍ଦିର ଭିତରେ ବିମଳା ମନ୍ଦିରରେ ପୂଜା କରାଯାଇ କାର୍ଯ୍ୟ ଆରମ୍ଭ ହେବ। ସେହିପରି ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଇଛି।

Share