ଗୋଷ୍ଠୀ ଶୌଚାଳୟ ଲୋକାର୍ପଣ ପୂର୍ବରୁ ୨ ପାଣିଟାଙ୍କି ଗାଏବ

ବାଲିମେଳା,୧୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ବାଲିମେଳାରୁ-ମାଲକାନଗିରି ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ପୋଟ୍ରେଲ ଛକ ନିକଟରେ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ସ୍ବଚ୍ଛ ଭାରତ ମିଶନ ଯୋଜନାରେ ୨୦୨୦-୨୧ରେ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଗୋଷ୍ଠୀ ଶୌଚାଳୟ ଗୃହ ଉପରେ ଏକ ହଜାର ଲିଟର କ୍ଷମତା ବିଶିଷ୍ଟ ଦୁଇଟି ନୂତନ ପାଣି ଟାଙ୍କି ବସାଯାଇଥିଲା। ତେବେ ଏହି ଶୌଚାଳୟ ଲୋକାର୍ପିତ ହେବା ପୂର୍ବରୁ ସେଠାରେ ବସାଯାଇଥିବା ଦୁଇଟିଯାକ ପାଣି ଟାଙ୍କି କେଉଁଆଡେ ଗାଏବ ହୋଇଯାଇଛି। ପ୍ରାୟ ଏକ ମାସ ହେବ ଏହି ୨ଟି ପାଣି ଟାଙ୍କି ସେଠାରୁ ଚୋରି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତି ଲାଗି ରହିଥିବାରୁ ଶୌଚାଳୟଟି ଲୋକର୍ପିତ ହୋଇପାରିନି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ କୋରୁକୋଣ୍ଡା ଦାୟିତ୍ୱରେ ଥିବା ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ମୁଖ୍ୟତଃ ଜଳ ଓ ପରିମଳ ବିଭାଗ କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା କଥା। ମାତ୍ର ସମ୍ପୃକ୍ତ କର୍ତ୍ତୃପକ୍ଷ ଏତଲା ନ ଦେଇ ଚୁପ୍‌ ରହିଛନ୍ତି। ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ସୁଗଡା ହେମ୍ରମଙ୍କୁ ପଚାରିବାରୁ ସେ କହିଥିଲେ, ଏହି ଶୌଚାଳୟରେ ବିଦ୍ୟୁତ ଓ ଜଳ ବ୍ୟବସ୍ଥା କରାଯାଇ ଲୋକାର୍ପିତ ପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା। ଏପରି ସ୍ଥିତିରେ ୨ଟି ପାଣି ଟାଙ୍କି ଚୋରି ହୋଇଯାଇଛି। ଏ ସମ୍ପର୍କରେ ଉଚ୍ଚ ଅଧିକାରୀ ସହ ଯୋଗାଯୋଗ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share