Categories: Uncategorized

ହାତଗଣ୍ଠି ପଡ଼ିବା ପୂର୍ବରୁ ବର ହାତରେ ହାତକଡ଼ି

ସୋନପୁର,୧।୩: ବିବାହ ପାଇଁ ବରବେଶରେ ସୋନପୁରକୁ ଆସି ଗିରଫ ହୋଇଛନ୍ତି ନୟାଗଡ଼ ଜିଲା ଇଛାପୁର(ଅନଖାପାଲି) ଅଞ୍ଚଳର ଅମଜାଦ ଖାଁ(୨୮)। ବିବାହ ପୂର୍ବରୁ ତାଙ୍କୁ ନୟାଗଡ଼ ଜିଲା ବୋଲଗଡ଼ ପୋଲିସ ସୋମବାର ଗିରଫ କରିଛି । ସେ ହତ୍ୟା ଉଦ୍ୟମ ମାମଲାରେ ଜଣେ ଅଭିଯୁକ୍ତ। ତାଙ୍କ ନାମରେ ବୋଲଗଡ ଥାନାରେ ଏକ ମାମଲା(ନଂ. ୧୫/୨୧) ରୁଜୁ ହୋଇଛି। ବର ବେଶରେ ଅଭିଯୁକ୍ତ ଗିରଫ ହେବା ଘଟଣା ସୋନପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋଲଗଡ଼ ପୋଲିସ ସୂଚନା ମୁତାବକ, ଅମଜାଦଙ୍କ ସମେତ ୪ ଜଣ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିବା ବେଳେ ଅମଜାଦ୍‌ଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ ଫେରାରଥିଲେ। ଅମଜାଦ୍‌ ସୋନପୁର ସହର ଝୁପୁଡିପଡାର ଜନୈକା ୨୧ବର୍ଷୀୟା ଯୁବତୀଙ୍କୁ ସୋମବାର ଦ୍ୱିତୀୟ ବିବାହ କରିବ ବୋଲି ବୋଲଗଡ଼ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଅମଜାଦ୍‌ ବର ବେଶରେ ଆସି ଝୁପୁଡିପଡାସ୍ଥିତ କନ୍ୟା ଘରେ ପହଞ୍ଚତ୍ ଥିଲେ। ମାମଲାର ତଦନ୍ତକାରୀ ଅଧିକାରୀ ତଥା ବୋଲଗଡ ଥାନାର ଏସ୍‌ଆଇ ପବିତ୍ର ମୋହନ ପ୍ରଧାନ, ସୋନପୁର ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି। ଅମ୍‌ଜାଦଙ୍କୁ ପୋଲିସ ବୋଲଗଡ ନେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।