Categories: ଜାତୀୟ

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଜିତ ପାଓ୍ବାରଙ୍କୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ୪ ତୁଙ୍ଗ ନେତା

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାଓ୍ବାରଙ୍କୁ ଲାଗିଛି ଶକ୍ତ ଝଟ୍‌କା। ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଥିବା ୪ ନେତା ହେଲେ ଏନସିପିର ପିମ୍ପରି-ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭୋସାରି ବିଧାନସଭା ସିଟ ହାତେଇବା ନିମନ୍ତେ ଅଜିତ ଗହୱାନେ ରେସ୍‌ରେ ଥିଲେ ମଧ୍ୟ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଏଥିପାଇଁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି। ସେମାନେ ସମସ୍ତେ ଶରଦ ପାୱାରଙ୍କ ଏନସିପିରେ ସାମିଲ ହେବାକୁ ଉଦ୍ୟମ ଆରମ୍ଭ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ଭାଜପା ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ଅଜିତ ପାୱାରଙ୍କୁ ମଧ୍ୟ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ମାତ୍ର ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଭାଜପା ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟରେ ରାଜନୀତିକ ହଟଚମଟ ଆରମ୍ଭ ହୋଇ ଯାଇଥିଲା। ଏଥିସହ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅଜିତ ପାୱାରଙ୍କ ଦଳର ନେତା ଶରଦ ପାୱାରଙ୍କ ଦଳକୁ ଡେଇଁବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

 

Share