Categories: ଜାତୀୟ

‘ଭିକ ମାଗୁଛି, ଜୀବନ ଶେଷ କରନାହିଁ’

ଚେନ୍ନାଇ,୧୫।୯: ତାମିଲନାଡୁରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଚାପର ସମ୍ମୁଖୀନ ହେଉଥିବା ଛାତ୍ରୀଛାତ୍ରଙ୍କୁ ବୁଧବାର ଏକ ଭାବପ୍ରବଣ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ଏହି ବିବାଦୀୟ ପରୀକ୍ଷା କାରଣରୁ ଗୋଟିଏ ସପ୍ତାହରେ ରାଜ୍ୟର ୩ ଆଶାୟୀ ଆତ୍ମହତ୍ୟା କରିଛନ୍ତି।

୧୭ ବର୍ଷୀୟା ଜଣେ ଛାତ୍ରୀ ତାମିଲନାଡୁରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଜଣେ ଦିନ ମଜୁରିଆଙ୍କ ଝିଅ। ସେ ଚଳିତ ବର୍ଷ ନିଟ୍‌ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ନା ନାହିଁ, ସେଥିଲାଗି ସେ ଚିନ୍ତିତ ଥିଲେ। ଦ୍ୱାଦଶ ପରୀକ୍ଷାରେ ପୀଡ଼ିତାଙ୍କ ୮୪.୯ ପ୍ରତିଶତ ମାର୍କ ଆସିଥିଲା। ଏଥିପୂର୍ବରୁ ନିଟ୍‌ ପରୀକ୍ଷା ପୂର୍ବରୁ ରାଜ୍ୟରେ ଦୁଇ ଛାତ୍ର ଆତ୍ମହତ୍ୟା କରିଥିଲେ। ଗତ କିଛି ବର୍ଷ ହେଲା, ପ୍ରତିବର୍ଷ ରାଜ୍ୟରେ ୧୫ ମେଡିକାଲ ଆଶାୟୀ ଆତ୍ମହତ୍ୟା କରୁଛନ୍ତି।

”ମୁଁ ତୁମମାନଙ୍କୁ ଭିକ ମାଗୁଛି, ତୁମେ ଜୀବନ ଶେଷ କରନାହିଁ। ତୁମ ପାଇଁ କିଛି ଅସମ୍ଭବ ନୁହେଁ। ନିଜ ଉପରେ ବିଶ୍ୱାସ ରଖି ପାଠପଢ଼। ଛୁଆଙ୍କ ଉପରେ ଚାପ ପକାଇବା ପରିବର୍ତ୍ତେ ପରିବାରବର୍ଗ ଛୁଆଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବା ଦରକାର“ ବୋଲି ନିଟ୍‌ ଆଶାୟୀଙ୍କୁ ଅନୁରୋଧ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଏଥିସହ ସେ ଛାତ୍ରୀଛାତ୍ରଙ୍କୁ ୧୦୪ ଡାଏଲ୍‌ କରି ମାନସିକ ବିଶେଷଜ୍ଞଙ୍କ ସହ କଥା ହେବାକୁ ପରମର୍ଶ ଦେଇଛନ୍ତି ।

Share