ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ,୭ା୭: ଆଜି  ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟାରୁ ଆହୁରି ପୂର୍ବରୁ ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି।

ଅପରାହ୍ନ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। ତେବେ ଲାଗୁଛି ତା’ ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ଓ ଛେରାପହଁରା ନୀତି ସଂପନ୍ନ ହୋଇଯିବ।

ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହାପରେ ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ। ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ରଥ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନି ରଥକୁ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଥିଲା। ଅପରପକ୍ଷରେ ତିଥି କ୍ଷୟ ଯାଉଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଛି। ତେଣୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ରବିବାର ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ ଧନ୍ୟ ମନେକରିବେ।

Share