୨ୟ ଦିନରେ ବେଗୁନିଆ ବନ୍ଦ:  ଆନ୍ଦୋଳନକାରୀ ପୋଲିସ ଧସ୍ତାଧସ୍ତି

ଖୋର୍ଦ୍ଧା ଅଫିସ,୧୧।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆରେ ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ବନ୍ଦ ୨ୟ ଦିନରେ ପହଞ୍ଚିଛି । ରାସ୍ତା  ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅବରୋଧ ହଟାଇବାକୁ ନେଇ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି।
ସୂଚନାଯୋଗ୍ୟ, ବେଗୁନିଆରେ ଥିବା ବ୍ରିଟିଶ  ସମୟର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଦୀର୍ଘ ୫୦ ଦିନ ଧରି ଆନ୍ଦୋଳନ କରିବା ପରେ  ସୋମବାରଠାରୁ ବେଗୁନିଆ ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ବିଧାନସଭା କମିଟି ସମସ୍ତେ ଉପଲବ୍ଧି କରି ପ୍ରତିଶ୍ରୁତି ଦେଇଥିଲେ। ୩୦ବର୍ଷ ଧରି ଏହି ଦାବି ହୋଇଆସୁଥିଲା। କିନ୍ତୁ ଫଳ ପ୍ରଦତ୍ତ ନ ହେବାରୁ ବର୍ତ୍ତମାନ କ୍ରିୟା ଅନୁଷ୍ଠାନ କେମିତି ଚରମ ପଦକ୍ଷେପ ନେଇଛି ବୋଲି କମିଟି କାର୍ଯ୍ୟକାରୀ ସଭାପତି ପ୍ରକାଶ ବଳିଆରସିଂହ କହିଛନ୍ତି।
ବନ୍ଦଫଳରେ ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ବିଶେଷ କରି ୫୭ନଂ ଜାତୀୟ ରାଜପଥରେ ବନ୍ଦ ପାଳନ ଯୋଗୁ  ଖୋର୍ଦ୍ଧା ବଲାଙ୍ଗୀରକୁ ସମସ୍ତ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।
ସକାଳୁ ସକାଳୁ ଝିପି ଝିପି ବର୍ଷା ସତ୍ୱେ କମିଟି ସଦସ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ।  ସୋମବାର ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଏସ୍‌ଡିପିଓ, ତହସିଲଦାର, ବିଡ଼ିଓଙ୍କ ଉପସ୍ଥିତିରେ ଆଲୋଚନା ବିଫଳ ହେବାପରେ ପୁନର୍ବାର ମଙ୍ଗଳବାର ଆନ୍ଦୋଳନ ଜାରି ରହିଛି। ଅବରୋଧ ହଟାଇବା ପାଇଁ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ, ବେଗୁନିଆ ଥାନାଧିକାରୀ ଲକ୍ଷ୍ମୀଧର ଶଥପଥୀ ପ୍ରମୁଖ ବୁଝାଶୁଝା ସତ୍ତ୍ବେ ବିଫଳ ହୋଇଥିଲେ। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ନିଜ ଜିଦରେ ଅଟଳ ରହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ଏସଏନ ମୁର୍ମୁଙ୍କ ନେତୃତ୍ୱରେ ତିନି ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ଏହି ଆନ୍ଦୋଳନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଚାଲିବ ବୋଲି କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ ଶିବ ମୁନି କହିଛନ୍ତି।