
ବେଗୁନିଆପଡା,୫।୪(ସୁଶାନ୍ତ କୁମାର ପଟ୍ଟନାୟକ): ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାରଠାରୁ ବେଗୁନିଆପଡ଼ା ବ୍ଳକର ସମସ୍ତ ଯୋଗାଣ ସହାୟକ ଛୁଟିରେ ଯାଇଛନ୍ତି। ଏହା ପରେ ପିଡିଏସ୍ ସାମଗ୍ରୀ ବଣ୍ଟନ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ହିତାଧିକାରୀମାନେ ପିଡିଏସ ସାମଗ୍ରୀ ପାଇଁ ହଇରାଣ ହୋଇପାରନ୍ତି। ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଞ୍ଚିତ ଥିବାରୁ ସଙ୍ଘ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ବେଗୁନିଆପଡ଼ା ବ୍ଳକ ଯୋଗାଣ ସହାୟକ ସଙ୍ଘର ସଭାପତି ନାରାୟଣ ଶତପଥି ଓ ସମ୍ପାଦକ ମନୋଜ କୁମାର ବେହେରା। ଶନିବାର ପୂର୍ବାହ୍ନରେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ବେହେରାଙ୍କୁ ଏନେଇ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶନିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ। ୧୪ ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଙ୍ଘର କର୍ମକର୍ତ୍ତା। ୨୦୧୨ ମସିହାରୁ ଯୋଗାଣ ସହାୟକମାନେ ସ୍ବଳ୍ପ ପାରିଶ୍ରମିକ ପାଇ ଆସୁଥିବା ବେଳେ ଚାକିରୀର କୌଣସି ସର୍ତ୍ତାବଳି ନାହିଁ। ଏହି ଚୁକ୍ତି ଭିତ୍ତିକ ଚାକିରିରେ ସ୍ବଳ୍ପ ପାରିଶ୍ରମିକ ମିଳୁଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଥିବା ସେମାନେ କହିଛନ୍ତି। ପୂର୍ବ ସରକାର ସମୟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ଦାବିକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଯୋଗାଣ ସହାୟକ ନିଯୁକ୍ତ ହୋଇଥିବା ପଞ୍ଚାୟତରେ ପିଡିଏସ୍ ସାମଗ୍ରୀ ବଣ୍ଟନ ପୁରା ଠପ୍ ହୋଇଯିବା ଆଶଙ୍କା ଦେଖାଦେଇଛି । ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଏଭଳି ଆନ୍ଦୋଳନକୁ ଓହ୍ଲାଇଛି ।