ନୂଆଦିଲ୍ଲୀ, ୫ା୫(ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଅଷ୍ଟ୍ରେଲୀୟ ପେସ୍ ବୋଲର ଜାସନ ବେହରେନଡର୍ଫ ଭାରତର କୋଭିଡ୍ ସଙ୍କଟ ପାଇଁ ଉଦ୍ଦିଷ୍ଟ ୟୁନିସେଫ୍ ପ୍ରୋଜେକ୍ଟ ଲାଗି ଅର୍ଥ ଦାନ କରିଥିବା ମଙ୍ଗଳବାର ଘୋଷଣା କରିଛନ୍ତି। କିନ୍ତୁ ଏହାର ପରିମାଣ କେତେ ତାହା ସେ ସ୍ପଷ୍ଟ କରିନାହାନ୍ତି। ୩୧ବର୍ଷୀୟ ଏହି କ୍ରିକେଟର ଜଣକ କହିଛନ୍ତି, ସେ ଓ ତାଙ୍କ ପରିବାର ଭାରତରେ ଯେଉଁ ଆତିଥେୟ ପାଇଛନ୍ତି ତାହାକୁ ସେ ଆଦୌ ଭୁଲିପାରିବେ ନାହିଁ। ତାଙ୍କ ଦାନ ପରିମାଣ ଯଦିଓ ନଗଣ୍ୟ ଏହା କିଛିଟା ଫରକ ଆଣିବ ବୋଲି ସେ ମନେକରନ୍ତି। ସୂଚନାଯୋଗ୍ୟ, ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଜୋସ୍ ହାଜଲେଉଡ୍ ଆଇପିଏଲ୍ରୁ ଓହରିଯାଇଥିଲେ। ତାଙ୍କ ସ୍ଥାନରେ ବେହରେନଡର୍ଫଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ରେ ସ୍ଥାନ ମିଳିଥିଲା। ସୋମବାର କ୍ରିକେଟ ଅଷ୍ଟ୍ରେଲିଆ ଏହି କାରଣ ପାଇଁ ୫୦,୦୦୦ ଅଷ୍ଟ୍ରେଲୀୟ ଡଲାର ଦାନ କରିଥିଲା। ବେହରେନଡର୍ଫଙ୍କ ବ୍ୟତୀତ ଦେଶର ପ୍ୟାଟ କୁମିନ୍ସ ଓ ବ୍ରେଟ୍ ଲି’ ମଧ୍ୟ ଅର୍ଥ ଦାନ କରିଛନ୍ତି।