କୋଭିଡ୍‌ ରୋଗୀଙ୍କ ପାଇଁ ହସ୍ପିଟାଲରେ ନାହିଁ ଶଯ୍ୟା

ବେଜିଂ,୫।୧: ଚାଇନା ରାଜଧାନୀ ବେଜିଂରେ କୋଭିଡ୍‌ ସଂକ୍ରମଣ ଉତ୍କଟ ରୂପ ଧାରଣ କରିଛି। ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଦେଖାଯାଇଛି। ରୋଗୀ, ବିଶେଷ କରି ବରିଷ୍ଠ ଲୋକେ ହଲ୍‌ ଓ୍ବେରେ ଷ୍ଟ୍ରେଚର କିମ୍ବା ହୁଇଲ୍‌ଚେୟାରରେ ଥାଇ ଅକ୍ସିଜେନ୍‌ ନେଉଥିବା ଦେଖାଯାଇଛି। ବେଜିଂର ପୂର୍ବ ଭାଗରେ ଥିବା ଚୁଇୟାଙ୍ଗ୍‌ଲିଉ ହସ୍ପିଟାଲକୁ ଗୁରୁବାର ବହୁସଂଖ୍ୟାରେ କୋଭିଡ୍‌ ରୋଗୀ ଆସିବା ଫଳରେ ସେମାନଙ୍କ ଚିକିତ୍ସା ପାଇଁ ବେଡ୍‌ ମିଳି ନ ଥିଲା। ଏହାସତ୍ତ୍ୱେ ଆମ୍ବୁଲାନ୍ସଗୁଡ଼ିକ କ୍ରମାଗତ ଭାବେ ରୋଗୀ ବୋହିବାରେ ଲାଗିଥିଲେ। ଡାକ୍ତର ଓ ନର୍ସମାନେ ଅତି ଜରୁରୀ ମାମଲାଗୁଡ଼ିକୁ ପ୍ରଥମେ ଚିକିତ୍ସା କରୁଥିବା ଦେଖାଯାଇଥିଲା। ପାଖାପାଖି ୩ ବର୍ଷର ଲକ୍‌ଡାଉନ୍‌ ପରେ ଚାଇନା ଅଧିକାଂଶ କୋଭିଡ୍‌ କଟକଣା ହଟାଇଦେବା ପରେ ସେଠାରେ ସଂକ୍ରମଣ ଶୀର୍ଷକୁ ଛୁଇଁଛି। ଅତି ଘନ ଜନବସତି ଅଞ୍ଚଳରେ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି।

Share