ଖୁସି ଖବର: ବେଜିଂ ହେଲା ମାସ୍କ ଫ୍ରି

ବେଜିଂ,୨୧।୮: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏବେ କିନ୍ତୁ ଚାଇନା ଏଥିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା କହୁଛି। ରାଜଧାନୀ ବେଜିଂରେ ଏବେ ମାସ୍କ ନ ପିନ୍ଧିଲେ ବି କରୋନା ସଂକ୍ରମଣ ଭୟ ନ ଥିବା ସରକାର କହିଛନ୍ତି। କାରଣ ଗତ ୧୩ ଦିନ ହେବ ଏଠାରେ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ। ତେଣୁ କରୋନାର ପ୍ରକୋପ ଏଠାରେ କମିଛି ବୋଲି କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ଗତ ଏପ୍ରିଲରେ ବେଜିଂକୁ ମାସ୍କ ଫ୍ରି ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏଠାରେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବାରୁ ଜନସାଧାରଣଙ୍କୁ ପୁଣିଥରେ ମାସ୍କ ପିନ୍ଧିବାକୁ ସରକାର ପରାମର୍ଶ ଦେଇଥିଲେ। ବେଜିଂକୁ ମାସ୍କ ଫ୍ରି ଘୋଷଣା କରାଯିବା ପରେ ବି କେତେକ ଲୋକେ ଏବେବି ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିଥିବା କହିଛନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାର ସଠିକ ମୁକାବିଲା କରାଯିବାରୁ ଯେମିତିକି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ପାଳନ କରିବା, ମାସ୍କ ପିନ୍ଧିବା, ହୋମ କ୍ୱାରାଣ୍ଟାଇନକୁ ଗୁରୁତ୍ୱ ଦେବା ଫଳରେ ସେଠାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଛି ବୋଲି କୁହାଯାଏ। ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଚାଇନାରେ ୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Share