Categories: ଜାତୀୟ

ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ

ବେଙ୍ଗାଲୁରୁ,୨୨।୬: ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରି ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର୍‌କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ବିବାହିତ ମହିଳା ଅନୈତିକ ସମ୍ପର୍କ ରଖିଥିଲେ ସେହି ପୁରୁଷ ବିବାହ ପ୍ରତିଶ୍ରୁତି ଭଙ୍ଗ କରିଥିବା ଅଭିଯୋଗ ହୋଇପାରିବ ନାହିଁ।

କୋର୍ଟ କହିଛନ୍ତି, ଅଭିଯୋଗକାରିଣୀ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ଝିଅ ଅଛି। ଏପରି ପରିସ୍ଥିତିରେ ଯଦି ସେ ପୂର୍ବରୁ ବିବାହିତ ତେବେ ବିବାହର ପ୍ରତିଶ୍ରୁତି ଭଙ୍ଗ କରି ଠକିବାର ପ୍ରଶ୍ନ ଉଠି ପାରିବ ନାହିଁ। ତେଣୁ ତାଙ୍କ ନାଁରେ ମାମଲା ଦାଖଲ କରିବାର କୌଣସି ଅର୍ଥ ନାହିଁ। ସେହିପରି ଅଭିଯୋଗକାରିଣୀ ଆଇନତଃ ତାଙ୍କ ସ୍ବାମୀଙ୍କୁ କୌଣସି ଛାଡପତ୍ର ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ଅଭିଯୋଗକାରିଣୀ ମହିଳା ପୂର୍ବରୁ ବିବାହିତ ଏବଂ ତାଙ୍କର ଝିଅଟିଏ ଅଛି। କୌଣସି କାରଣରୁ ମତଭେଦ ଯୋଗୁ ଦମ୍ପତି ଅଲଗା ରହୁଛନ୍ତି। ମହିଳା ଜଣକ ତାଙ୍କ କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ଭେଟିଥିଲେ। ଏହାପରେ ତାଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। କିନ୍ତୁ ପରେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କ କଲ୍‌ ଉଠାଇବା ବନ୍ଦ କରି ଦେଇଛନ୍ତି। ଅଭିଯୋଗକାରୀ ମହିଳା କହିଛନ୍ତି, ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରେ ମନା କରିଦେଇଥିଲେ। ଯେଉଁଥିପାଇଁ ସେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ବାଧ୍ୟ ହୋଇଥିଲେ।

ତେବେ ଅଭିଯୁକ୍ତ କୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ, ସେ ଅଭିଯୋଗକାରିଣୀ ମହିଳାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ନାହାନ୍ତିି। ଅସୁବିଧା ସମୟରେ ଅଭିଯୁକ୍ତ ଜରକ ମହିଳାଙ୍କୁ ଟଙ୍କା ପଠାଇ ସାହାଯ୍ୟ କରିଥିଲେ।

Share