Categories: Uncategorized

ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବା

ବୃଦ୍ଧାବସ୍ଥା, ମାନବ ଜୀବନର ଅନିବାର୍ଯ୍ୟ ସୋପାନ। ଜୀବନର ହାରାହାରି ବୟସ ବୃଦ୍ଧି କାରଣରୁ କେବଳ ଆମଦେଶ ଭାରତରେ ନୁହେଁ ବରଂ ବିଶ୍ବର ବିଭିନ୍ନ ଦେଶରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟର ୱେବ୍‌ସାଇଟ ପ୍ରଦତ୍ତ ତଥ୍ୟ ଅନୁଯାୟୀ; ଆମଦେଶରେ ବୃଦ୍ଧାବୃଦ୍ଧଙ୍କ ଆନୁପାତିକ ସଂଖ୍ୟା ୧୯୬୧ରେ ଥିଲା ୫.୬ ପ୍ରତିଶତ, ଯାହା ୧୯୯୧ରେ ବୃଦ୍ଧି ଘଟି ୬.୬ ପ୍ରତିଶତରେ ପହଞ୍ଚତ୍ଥିଲା। ଏକ ଆକଳନ ଅନୁସାରେ ୨୦୨୩ ଶେଷ ବେଳକୁ ଏହି ସଂଖ୍ୟା ୧୦ ପ୍ରତିଶତକୁ ଅତିକ୍ରମ କରିସାରିଥିବ। ୧୯୯୧ରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ୫କୋଟି ୫୦ଲକ୍ଷ ଥିଲାବେଳେ, ୨୦୨୦ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୨କୋଟି ୪୦ଲକ୍ଷରେ ପହଞ୍ଚତ୍ଥିଲା। ବିଶେଷଜ୍ଞଙ୍କ ମତରେ ୨୦୨୫ ବେଳକୁ ଏହି ସଂଖ୍ୟା ବୃଦ୍ଧି ଘଟି ୧୭କୋଟି ୭୪ଲକ୍ଷ ହୋଇଯାଇଥିବ। ଏକଥାରେ ସଭିଏ ଏକମତ ହେବେ ଯେ, ବୃଦ୍ଧାବସ୍ଥାଜନିତ ଜୀବନ ପ୍ରକ୍ରିୟାର ପ୍ରଭାବ ପ୍ରତ୍ୟେକଟି ସାମାଜିକ ସମ୍ପ୍ରଦାୟ ସହ ସମାଜର ପ୍ରତିଟି ସମ୍ବନ୍ଧ ଉପରେ ପଡ଼ିଥାଏ।
ଭାରତରେ ମଧ୍ୟ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ଏମାନଙ୍କ ସହ ଜଡିତ ଏକାଧିକ ଗମ୍ଭୀର ପାରିବାରିକ ଏବଂ ସାମାଜିକ ସମସ୍ୟା ସହ ଆଜି ଆମେ ସମସ୍ତେ ଏକାଠି ଲଢୁଛନ୍ତି। ବୃଦ୍ଧାବୃଦ୍ଧଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଏକଲାପଣ। ଏହି ଏକଲାପଣ ସହ ଭାବପ୍ରବଣତାର ଅଭାବ ସମସ୍ୟାକୁ ଜଟିଳତର କରୁଛି। ସେବାନିବୃତ୍ତ, ପୂର୍ବରୁ ଭୋଗକରି ଆସୁଥିବା ପଦମର୍ଯ୍ୟାଦାର ଅଭାବ, ସାମାଜିକ ପ୍ରତିଷ୍ଠା ହରାଇବା, ସମ୍ପର୍କୀୟଙ୍କ ମଧ୍ୟରେ ସାମାଜିକ ସହାୟତାର ଅଭାବ ଦେଖାଦେବା, ପରିବାରର ପୂର୍ଣ୍ଣ ସମର୍ଥନ ନ ମିଳିବା ଓ ଦେଖାଶୁଣାର ଅଭାବ ରହିବା, ବିଧବା ବା ବିପତ୍ନୀକ, ଅକ୍ଷମତା, ବିଚ୍ଛିନ୍ନତା, ସ୍ଥାନାନ୍ତର, ବିସ୍ଥାପନ ଆଦି ବୃଦ୍ଧାବସ୍ଥାଜନିତ ସାଧାରଣ ଅସୁସ୍ଥତାର ଗୋଟିଏ ଗୋଟିଏ କାରଣ ହୋଇପାରେ। ତଥାପି, ଆମ ଭାରତୀୟ ସମାଜରେ ବୃଦ୍ଧାବୃଦ୍ଧମାନେ ପାରମ୍ପରିକ ଭାବେ ସର୍ବୋଚ୍ଚ ସାମାଜିକ ମାନସମ୍ମାନ ପାଉଛନ୍ତି। ବିବାହବ୍ରତଠାରୁ ଆରମ୍ଭ କରି ଶିକ୍ଷା, ସାମାଜିକ ଏବଂ ଅର୍ଥନୈତିକ ବିଷୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏମାନଙ୍କ ପରାମର୍ଶ ଲୋଡ଼ା ଯାଇଥାଏ। କିନ୍ତୁ ଆଧୁନିକତାର ଦ୍ବାହି ଦେଇ କାହିଁ କେଉଁ କାଳରୁ ଚାଲି ଆସିଥିବା ଆମ ସମାଜର ଏହି ଧାରା ବା ପରମ୍ପରା ଆଜି ଖୁବ ଦ୍ରୁତ ଗତିରେ ଅବକ୍ଷୟ ହେବାରେ ଲାଗିଛି। ସମ୍ପ୍ରତି ଭାରତୀୟ ଯୁବଗୋଷ୍ଠୀ ନିଜ ଜୀବନଯୁଦ୍ଧର ମାର୍ଗରେ ବହୁଳ ଭାବେ ସହରମୁହଁା ହେଉଛନ୍ତି। ଏଥିପାଇଁ ନିଜ ପରିବାରର ବୃଦ୍ଧ ମାତାପିତା ତଥା ବୟୋଜ୍ୟେଷ୍ଠଙ୍କଠାରୁ ସେମାନଙ୍କୁ ପୃଥକ ହେବାକୁ ପଡୁଛି। ଏହି କାରଣରୁ ବୃଦ୍ଧାବୃଦ୍ଧମାନେ ନିଜ ପିଲାଙ୍କଠାରୁ ଆଶା କରିଥିବା ଭାବପ୍ରବଣତାର ସାହାରାରୁ ବଞ୍ଚତ୍ତ ହେଉଛନ୍ତି। ବଂଶାନୁକ୍ରମିକ ଦୃଷ୍ଟିଗୋଚର ହେଉଥିବା ଆଦର୍ଶଗତ ପାର୍ଥକ୍ୟ ବି ପାରିବାରିକ ସମ୍ପର୍କରେ ସମନ୍ବୟ ନ ରହିବାର ଅନ୍ୟତମ ମୌଳିକ କାରଣ। ଯାହାର ସର୍ବାଧିକ କୁପରିଣାମ ଆମ ବୟୋଜ୍ୟେଷ୍ଠମାନଙ୍କୁ ଭୋଗିବାକୁ ପଡୁଛି।
ସମ୍ପର୍କର ଆତ୍ମୀୟତା ଏବଂ ସ୍ନେହ, ସମ୍ମାନର ଗୌରବ ରକ୍ଷା ପାଇଁ ସାରା ବିଶ୍ୱରେ ଭାରତ ହେଉଛି ଏକ ପରିଚିତ ନାମ। ପ୍ରତ୍ୟେକ ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ଯୌବନ କାଳକୁ ନିଜ ସନ୍ତାନ ସନ୍ତତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାନ୍ତି। ହେଲେ ଏହି ସନ୍ତାନ ସନ୍ତତି ହିଁ ଆଜି ସେମାନଙ୍କୁ ପରକରି ଛାଡି ଚାଲି ଯିବାରେ ତିଳେମାତ୍ର ପଶ୍ଚାତ୍ତାପ କରୁନାହାନ୍ତି। ଏହାଠାରୁ ବଡ଼ ଦୁଃଖଦାୟକ ଘଟଣା ଆଉ କ’ଣ ହୋଇପାରେ? ପରିବାର ହେଉଛି ସମାଜର ପ୍ରଥମ ସଙ୍ଗଠନ। ବୃଦ୍ଧାବୃଦ୍ଧମାନଙ୍କର ଯତ୍ନ ନେବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କେବଳ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ନୁହେଁ ବରଂ ଦାୟିତ୍ୱବୋଧତା ମଧ୍ୟ। ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଏକ ସମ୍ମାନଜନକ ତଥା ଗୌରବପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପରିବାର, ସମାଜ ଏବଂ ସରକାରଙ୍କର ମିଳିତ ଦାୟିତ୍ୱ ହୋଇଥାଏ। ଅନୁଭବୀ ତଥା ଅଭିଜ୍ଞ ବୃଦ୍ଧାବୃଦ୍ଧଗଣ ଆମ ପରିବାର, ସମାଜ ଏବଂ ରାଷ୍ଟ୍ର ପାଇଁ କୌଣସି ଐତିହ୍ୟଠାରୁ କମ୍‌ ନୁହନ୍ତି। ଏ ଦୃଷ୍ଟିରୁ ପାରିବାରିକ ଏବଂ ସାମାଜିକ ମୂଲ୍ୟବୋଧର ପୁନରୁଦ୍ଧାର ଆବଶ୍ୟକ। ସାଥେ ସାଥେ ବୃଦ୍ଧାବୃଦ୍ଧଙ୍କ ପ୍ରତି ଆମ ନୂତନ ପିଢ଼ି ଯେଭଳି ସମ୍ବେଦନଶୀଳ ରହିବେ ସେଥିପ୍ରତି ଆମ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ। ଆମ ନୂତନ ପିଢ଼ିଙ୍କୁ ଆମେ ସେହିଭଳି ଗଢ଼ିତୋଳିବାକୁ ପ୍ରୟାସ କରିବାକୁ ପଡ଼ିବ।
ଦିନେ ନା ଦିନେ ଆମ୍ଭମାନଙ୍କର ବି ସନ୍ତାନ ସନ୍ତତି ହେବେ। ଏକଥା ଭୁଲିଯିବା ଆଦୌ ଉଚିତ ହେବନାହିଁ। ଦିନେ ଆମ ସମସ୍ତଙ୍କୁ ସେହି ବୃଦ୍ଧା ଅବା ବୃଦ୍ଧ ଅବସ୍ଥାରେ ଉପନୀତ ହେବାକୁ ପଡ଼ିବ। ନିଜନିଜ ପିଲାଙ୍କୁ ଯଦି ଆମେ ପିଲାଟି ବେଳୁ ଉତ୍ତମ ଶିକ୍ଷା ଦେଇ ନ ଥିବା କିମ୍ବା ସଂସ୍କାର ଶିଖେଇ ନ ଥିବା, ତେବେ ଆସନ୍ତାକାଲି ସେମାନେ ଯେତେବେଳେ ବଡ଼ ହୋଇଯିବେ ସେତେବେଳେ ସେମାନେ ମଧ୍ୟ ଆମ ପାଖରୁ ଦୂରେଇ ଯିବାକୁ ଆଗ୍ରହ ରଖିବେ। ଏତିକିବେଳେ ଆମେ ବଞ୍ଚତ୍ବା କିଭଳି ? ଆମ ଜୀବନ ଦୁର୍ବିଷହ ହୋଇଯିବ। କଥାରେ ଅଛି- ‘ଦେଇ ଥିଲେ ପାଇ’। ବର୍ତ୍ତମାନ ଯଦି ଆମେ ନିଜ ପିଲାଙ୍କୁ ଉପଯୁକ୍ତ ସମ୍ମାନ ସହ ସଂସ୍କାର ଦେଇଥିବା ତେବେ ଭବିଷ୍ୟତରେ ଆମେ ମଧ୍ୟ ସେମାନଙ୍କଠାରୁ ନିଶ୍ଚିତ ରୂପେ ଉପଯୁକ୍ତ ସମ୍ମାନ ଫେରିପାଇବା। ଫଳତଃ ଆମ ବଞ୍ଚତ୍ବା ପଥଟି ସୁଗମିତ ହୋଇଯିବ।
ବୟସ୍କଙ୍କ ପାଖରେ ପ୍ରଚୁର ଅନୁଭବ ଓ ଅଭିଜ୍ଞତା ରହିଥାଏ। ଯାହା ଆମକୁ ଆଗକୁ ବଢ଼ିବାରେ ମାର୍ଗଦର୍ଶନ କରେ। ଏଥିଯୋଗୁ ଆମ ଜୀବନଯାପନ ସହଜ ଓ ସରଳ ହୋଇଥାଏ। ଆମ ସୁଖଶାନ୍ତି ପାଇଁ ଜୀବନ ତମାମ ନିଜ ଜୀବନକୁ ଉତ୍ସର୍ଗ କରି ଚାଲିଥିବା ଏହି ବୃଦ୍ଧାବୃଦ୍ଧଙ୍କ ପରିଣତ ବୟସରେ ଆମେ ସେମାନଙ୍କର ସାହାରା ସାଜିବା କେବଳ ନିଜ ପରିବାର ପାଇଁ ହିଁ ନୁହେଁ ସମାଜ ଓ ରାଷ୍ଟ୍ର ଲାଗି ମଧ୍ୟ ମଙ୍ଗଳଦାୟକ ହୋଇଥାଏ। ବାସ୍ତବରେ ବୃଦ୍ଧାବୃଦ୍ଧ ହେଉଛନ୍ତି ଆମ ସମାଜର ଅସଲ ପୁଞ୍ଜି। ଏସବୁ ଦୃଷ୍ଟିରୁ ଏମାନଙ୍କର ଉପଯୁକ୍ତ ଯତ୍ନ ନେବା ଆମ ସମସ୍ତଙ୍କର ଧେୟ ହେବା ଆବଶ୍ୟକ। ଏମାନଙ୍କ ପାଇଁ ସରକାର ମଧ୍ୟ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରୁଛନ୍ତି। ସମାଜରେ ବାର୍ଦ୍ଧକ୍ୟଜନିତ କାରଣରୁ ବହୁ ବୃଦ୍ଧାବୃଦ୍ଧ ଆଜି ଶଯ୍ୟାଶାୟୀ ରହିଛନ୍ତି। ଏମାନଙ୍କ ଶୌଚାଦି କ୍ରିୟା ସକାଶେ ପରିବାର ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଏପରିସ୍ଥଳେ ଶୟନାବସ୍ଥାରେ ଶୌଚାଦି କ୍ରିୟା ପାଇଁ ଉପଯୁକ୍ତ ଶଯ୍ୟା ଯୋଗାଇଦେବା ସକାଶେ ସରକାର ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ମନେହୁଏ। ସେହିଭଳି ବାର୍ଦ୍ଧକ୍ୟଜନିତ ଏକାଧିକ ବ୍ୟାଧି କାରଣରୁ ଔଷଧପତ୍ର କ୍ରୟ ବାବଦରେ ବୟସ୍କମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହାର ସ୍ଥାୟୀ ସମାଧାନ ସକାଶେ ପଦକ୍ଷେପ ଜରୁରୀ। ଏ କ୍ଷେତ୍ରରେ ଡାକ୍ତରୀ ସେବା ସହ ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ସେମାନଙ୍କୁ ମାଗଣା ଔଷଧ ଅବା ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିବା ଆବଶ୍ୟକ। କାରଣ ଏହା ହେଉଛି ସାମାଜିକ ସୁରକ୍ଷାର କଥା। କାରଣ ସମୟଚକ୍ରରେ କିଏ, କେତେବେଳେ, କାହାର ଦରକାରରେ ଆସିବେ ବା ନ ଆସିବେ ସେକଥା କେହି କହିପାରିବେ ନାହିଁ ? ଏହା ହିଁ ହେଉଛି ଜୀବନର ବାସ୍ତବତା। ଏକଥାକୁ ହେଜିଲେ ହେଲା। ନଚେତ ଆମ ଆଖପାଖରେ ବୃଦ୍ଧାଶ୍ରମ ସଂଖ୍ୟା ବୃଦ୍ଧି ପାଇଚାଲିଥିବ। ଆଉ ସମୟକ୍ରମେ ଆମକୁ ମଧ୍ୟ ଏହାର ସଦସ୍ୟତା ଗ୍ରହଣ କରିବାକୁ ପଡ଼ିବ।

– ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫