ନୂଆଦିଲ୍ଲୀ,୧୦।୨: ମଧ୍ୟ ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ରୋଡ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି। ତୃତୀୟ ଝିଅ ହେବାରୁ ମନ୍ଦିର ବାହାରେ ଶିଶୁକୁ ଛାଡିଦେଇ ମା’ ଅପହରଣର ନାଟକ ରଚିଥିଲେ। ସତ ପଦାକୁ ଆସିବା ପରେ ସମ୍ପୃକ୍ତ ମହିଳା ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି।
ସୂଚନାଯୋଗ୍ୟ, ଏକ ଜାତୀୟ ଦଳର ନେତାଙ୍କ ସ୍ତ୍ରୀ ଶିଶୁ ଅପହରଣ ସମ୍ପର୍କରେ ପୋଲିସରେ ସୂଚନା ଦେଇଛନ୍ତି। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଶିଶୁଙ୍କୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ପୋଲିସର ଅନୁସନ୍ଧାନ ବେଳେ ଉତ୍ତର ଦିଲ୍ଲୀର ମରିସ ନଗରର ଏକ ମନ୍ଦିର ବାହାରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସିସିଟିଭି ଯାଞ୍ଚ୍ ପରେ ଶିଶୁଟିକୁ ମା’ଙ୍କ ଉପରେ ସନ୍ଦେହ ଉପୁଜିଥିଲା। ଏନେଇ ତାଙ୍କୁ ପଚରାଉଚରା କରାଯାଇଥିଲା, ସେ ବାରମ୍ବାର ତାଙ୍କ ବିବୃତ୍ତି ବଦଳାଇବାକୁ ଲାଗିଲେ। ପରେ ସେ ସ୍ବୀକାର କରିଥିଲେ ଯେ, ଲଗାତାର ତୃତୀୟ ଝିଅ ହେବାରୁ ନିରାଶ ହୋଇ ଶିଶୁଟିକୁ ମନ୍ଦିର ବାହାରେ ଛାଡି ଦେବା ପରେ ଅପହରଣ ନାଟକ ରଚିଥିଲେ।