ପ୍ରି-ଓ୍ବେଡିଂ ଫଟୋସୁଟ କରୁଥିବା ବେଳେ କନ୍ୟାଙ୍କ ସହ ଘଟିଲା କିଛି ଏଭଳି: ଭିଡିଓ ଭାଇରାଲ

ବେରୁଟ୍‌,୭।୮: ସବୁ ଝିଅ ଓ ପୁଅଙ୍କ ମନରେ ନିଜ ବିବହାକୁ ନେଇ ବହୁ ସ୍ବପ୍ନ ଓ ପ୍ଲାନିଂ ରହିଥାଏ। ହେଲେ ଏହି ସବୁ ସ୍ବପ୍ନ ସାକାର ହେଉଥିବା ବେଳେ ଯଦି କିଛି ଅଘଟଣ ଘଟେ, ତେବେ ଏହା କେବେ ମନରୁ ଲିଭେ ନାହିଁ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲେବନାନର ରାଜଧାନୀ ବେରୁଟର ବନ୍ଦରଗାହରେ। ମଙ୍ଗଳବାର ବେରୁଟ୍‌ରେ ଏକ ଭୟାନକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏଯାଏଁ ୧୩୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତେବେ ବେରୁଟ୍‌ରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଚିତ୍ର ଦେଖିଲେ ଯାହାକାର ବି ଲୋମଟାଙ୍କୁରି ଉଠିବ। ଇତିମଧ୍ୟରେ ସୋସିଆଲ ମିଡିଆରେ ଆଉ ଏକ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

 

ଯେଉଁଥିରେ ଜଣେ ଯୁବତୀଙ୍କ ସବୁ ସ୍ବପ୍ନ ଓ ଆଶା ଧୂଳିସାତ୍‌ ହୋଇଥିବା ବେଳେ ମୁତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ଜଣେ ଯୁବତୀ ହ୍ବାଇଟ କଲରର ଗାଉନ ପିନ୍ଧି ବିବାହ ପାଇଁ ପ୍ରି-ଓ୍ବେଡିଂ ଫଟୋସୁଟ୍‌ କରାଉଥିଲେ। ସବୁ କିଛି ଠିକ୍‌ ଥିଲା। ହେଲେ କିଛି ସମୟ ପରେ ଅଚାନକ୍‌ ଏକ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣର ଧମାକା ଯୋଗୁ ସେଠାରେ ଉପସ୍ଥିତ ଥିବା ଲୋକ ଓ ଜିନିଷପତ୍ର ସହ କ୍ୟାମେରା ମଧ୍ୟ ଦୋହଲିଯାଇଥିଲା। ପ୍ରାଣ ବିକଳରେ ସମସ୍ତେ ଏପଟ ସେପଟ ଦୌଡିବାକୁ ଲାଗିଥିଲେ।

 

 

ଉକ୍ତ ଯୁବତୀ ମଧ୍ୟ ନିଜ ଜୀବନ ବଞ୍ଚାଇ ଏକ ଘର ଭିତରକୁ ପଳାଇ ଯାଇଥିଲେ। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ସେଠାରେ ଥିବା ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହି ସମୟର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ମାଇକ୍‌ ଲେସ୍‌ଲୀ ନାମକ ଜଣେ ସାମ୍ବାଦିକ ଟୁଇଟରରେ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ର ଲେଖିଛନ୍ତି ଭାଗ୍ୟଶାଳୀ କନ୍ୟା।

Share