ଆନନ୍ଦପୁର,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ସେତୁର ଏକ ସ୍ପାନ୍ ଦବିଯାଇ ପୁନର୍ବାର ବିପଦ ସୃଷ୍ଟି କରିଛି। ସ୍ପାନ୍ର ଜଏଣ୍ଟ୍ ସ୍ଥାନରେ ପାଖାପାଖି ୪ ଇଞ୍ଚ୍ ଦବିଥିବା ଦେଖାଯାଇଛି। ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨୦୧୮ ଜୁଲାଇ ମାସରେ ସେତୁର ଏକ ପିଲାରରୁ ବେରିଂ ଖସିଥିଲା। ହାଇଦ୍ରାବାଦର ଏକ ଟେକ୍ନିକାଲ ଟିମ୍ ୨୦୧୯ ଜୁନ୍ ମାସ ୧୨ରେ ଏହାର ମରାମତି କରିଥିଲେ। ଏଥିପାଇଁ ସେତୁ ଉପରେ ୫ ଦିନ ଧରି ଯାତାୟାତ ବନ୍ଦ ରହିଥିଲା। ମରାମତିର ୪ ମାସ ପରେ ପୁନର୍ବାର ସେତୁର ଜଏଣ୍ଟ ସ୍ଥାନଟି ଅସମାନ୍ତରାଳ ପରିଲକ୍ଷିତ ହେବାରୁ ପୁନର୍ବାର ଏହାର ମରାମତି କରାଯାଇ ଯାତାୟାତ ଉପଯୋଗୀ କରାଯାଇଥିଲା। ଏବେ ପୁନର୍ବାର ସେତୁର ୬ ଓ ୭ ନଂ. ସ୍ପାନ ମଧ୍ୟସ୍ଥଳ ଜଏଣ୍ଟ୍ ଉଚ୍ଚ ନିଚ ରହିବା ଘଟଣା ନଜରକୁ ଆସିଛି। ପ୍ରଶାସନିକ ସ୍ତରରେ ସେତୁର ଉଭୟ ପାର୍ଶ୍ୱରେ କେବଳ ଦୁର୍ବଳ ସେତୁ ସଚେତନତା ବାର୍ତ୍ତାର ବୋର୍ଡ ଲଗାଯାଇଥିବା ବେଳେ ପ୍ରକୃତ ପକ୍ଷେ ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଭାରିଯାନ କ୍ରମାଗତ ଯାତାୟାତ ଦୁର୍ବଳ ସେତୁକୁ ଅଧିକ ଦୁର୍ବଳ କରିଛି।