Categories: ଜାତୀୟ

ମହିଳାଙ୍କୁ ନିବସ୍ତ୍ର ପରେଡ ମାମଲା: କଠୋର ହେଲେ କୋର୍ଟ, କହିଲେ ଏବେ ଭଗବାନ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ

ବେଙ୍ଗାଲୁରୁ,୧୫।୧୨: ମହିଳାଙ୍କୁ ନିବସ୍ତ୍ର ପରେଡ କରାଇବା ଘଟଣାର କଡା ନିନ୍ଦା କରିଛନ୍ତି କର୍ନାଟକ ହାଇକୋର୍ଟ। ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି, ଏହା ସାଧାରଣ ଘଟଣା ନୁହେଁ, ତେଣୁ ଏଥିରେ ଅସାଧାରଣ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ତେବେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ ମହାଭାରତ ବିଷୟରେ ଉଲ୍ଲେଖ କରି କହିଛନ୍ତି, ‘ମହାଭାରତରେ ଦୌପଦୀଙ୍କ ବସ୍ତ୍ର ହରଣ ସମୟରେ ସ୍ବୟଂ ଭଗବାନ କୃଷ୍ଣ ତାଙ୍କୁ ସୁରକ୍ଷା ଦେଇଥିଲେ। ଏବେ କୌଣସି ମହିଳା ନିବସ୍ତ୍ର ହୋଗଲେ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ’।

ସୂଚନାଯୋଗ୍ୟ, ଡିସେମ୍ବର ୧୧ରେ ଜଣେ ୪୨ବର୍ଷିୟା ମହିଳାଙ୍କୁ ଘରୁ ଭିଡି ଆଣି ନିବସ୍ତ୍ର ଭାବରେ ରାସ୍ତାରେ ପରେଡ କରାଯାଇଥିଲା। ସାର୍ବଜନିକ ରାସ୍ତାରେ ତାଙ୍କୁ ପରେଡ କରାଇବା ସହ ତାଙ୍କୁ ଏକ ବିଜୁଳି ଖୁଣ୍ଟିରେ ବାନ୍ଧି ମାଡ ମରାଯାଇଥିଲା। ଦୀର୍ଘ ଦୁଇଘଣ୍ଟା ଧରି ଏଭଳି ଅଭାବନୀୟ ଘଟଣା ଲୋକେ ଦେଖୁଥିଲେ ମଧ୍ୟ କେହି ବି ଏହାର ବିରୋଧ କରି ନ ଥିଲେ। ପରେ ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପଛର କାରଣ ଏହି କି, ପୀଡିତାଙ୍କ ପୁଅ ଡିସେମ୍ବର ୪ରେ ତାଙ୍କ ପ୍ରେମିକାକୁ ନେଇ ଘର ଛାଡି ଚାଲି ଯାଇଥିଲେ। ତେବେ ସେହି ଯୁବତୀଙ୍କ ଡିସେମ୍ବର ୫ନିର୍ବନ୍ଧ ହେବାର ଥିଲା। ଏହି ଘଟଣାକୁ କେନ୍ଦ୍ର କରି ପୁଅ ଉପରେ ଥିବା ରାଗ ଲୋକମାନେ ମହିଳାଙ୍କ ଉପରେ ଶୁଝାଇଥିଲେ।

ଦୁଇଜଣିଆ ଖଣ୍ଡପୀଠର ବିଚାରପତି ଜଷ୍ଟିସ ପ୍ରସନ୍ନ ବି ଭାରେଲ ଓ ଜଷ୍ଟିସ କ୍ରିଷ୍ଣା ଏସ. ଦିକ୍ଷୀତ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି, ‘ଆମ ପାଖରେ କହିବାକୁ କୌଣସି ଶଦ୍ଦ ନାହିଁ। ସାର୍ବଜନିକ ନିବସ୍ତ୍ର କରିବା ଘଟଣା ମହାଭାରତରେ ମଧ୍ୟ ହୋଇନାହିଁ। ଯେତେବେଳେ ଦୌପଦୀଙ୍କ ବସ୍ତ୍ର ହରଣ ହୋଇଥିଲା ସେତେବେଳେ ସ୍ବୟଂ ଭଗବାନ କୃଷ୍ଣ ତାଙ୍କୁ ସୁରକ୍ଷା ଦେଇଥିଲେ। କିନ୍ତୁ ଏବେ ଦୂର୍ଯ୍ୟୋଧନ ଓ ଦୁଃଶାସନ ଆସିବେ କିନ୍ତୁ ଚିତ୍କାର କରି ଡାକିଲେ ବି କୃଷ୍ଣ ଆସିବେ ନାହିଁ’।

Share